ରାଜଧାନୀରେ କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ରଣନୀତି : ୬ ବରିଷ୍ଠ ଆଇଏଏସ୍‌ଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱରରେ ଏହା ସବୁଠାରୁ ଅଧିକ ସଙ୍ଗୀନ୍ ସ୍ଥିତିରେ ପହଞ୍ଚିଛି । ଏଥିପାଇଁ ରାଜ୍ୟ ସରକାର ରାଜଧାନୀରେ ସଂକ୍ରମଣ ରେକିବାକୁ ଛଅଜଣ ବରିଷ୍ଠ ପ୍ରଶାସକ (ଆଇଏଏସ୍‌)ଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଏହିକ୍ରମରେ ରାଜଧାନୀକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରି ପ୍ରତି ଭାଗର ଦାୟିତ୍ୱ ପାଇଁ ଜଣେ ଲେଖାଏଁ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ପ୍ରଶାସକ ରଂଜନା ଚୋପ୍ରା, ବିଷ୍ଣୁପଦ ସେଠୀ, ଅଶୋକ ମୀନା, ଶାଶ୍ୱତ ମିଶ୍ର, ଭାସ୍କରଜ୍ୟୋତି ଶର୍ମା ଏବଂ ଏସ୍‌କେ ଲୋହାନି ଏହି ଦାୟିତ୍ୱ ତୁରନ୍ତ ଗ୍ରହଣ କରିଛନ୍ତି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଂଜନା ଚୋପ୍ରା ଏବଂ ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଭୁବନେଶ୍ୱରର ନର୍ଥ ଜୋନ୍ (ଉତ୍ତରାଞ୍ଚଳ) ଦାୟିତ୍ୱ ଦିଆଯାଇଥିବା ବେଳେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ଏବଂ ସାମାଜିକ ସଶକ୍ତିକରଣ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ସାଉଥ୍‌-ୱେଷ୍ଟ (ଦକ୍ଷିଣ ଓ ପଶ୍ଚିମ) ଭାଗର ଦାୟିତ୍ୱ ଦିଆଯାଇଛି । ସେହିଭଳି, ଅବକାରୀ ସଚିବ ଏସ୍‌କେ ଲୋହାନୀ ଓ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣ-ପୂର୍ବ ଅଞ୍ଚଳ ଦାୟିତ୍ୱ ଦିଆଯାଇଛି । ଏହି ବରିଷ୍ଠ ପ୍ରଶାସକମାନେ ଦାୟିତ୍ୱ ପାଇବାକ୍ଷଣି ନିଜ ନିଜ ଅଞ୍ଚଳର କଣ୍ଟେନମେଣ୍ଟ ଅଞ୍ଚଳକୁ କିଭଳି ସୁରକ୍ଷିତ ରଖାଯାଇପାରିବ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ସେହିସବୁ ଅଞ୍ଚଳରେ ଲୋକଙ୍କ ନିକଟରେ ପହଞ୍ଚି ପାରିବ ଏ ନେଇ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ, ସନ୍ଦେହଘେରରେ ଆସୁଥିବା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ରକ୍ତ ନମୁନା, ସ୍ୱାବ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଏହି ଅଧିକାରୀମାନେ ଗ୍ରହଣ କରିଛନ୍ତି ।

Comments (0)
Add Comment