ବଲାଙ୍ଗୀରରେ ଯୁବକଙ୍କ ଉନ୍ମୁତ୍ତ କାଣ୍ଡ, ବନ୍ଧୁକ ଧରି ଆତଙ୍କ ଖେଳାଉଛି

ବଲାଙ୍ଗୀର :ବଲାଙ୍ଗୀର ସହରର ଶାନ୍ତିପଡାରେ ଜଣେ ଯୁବକ ଏକ ଘର ଭିତରକୁ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଛି । ଘର ମାଲିକ ଓ ପରିବାର ଲୋକଙ୍କୁ ଯୁବକ ଜଣକ ଅଟକ ରଖିଛି । ପାଖକୁ କେହି ଆସିଲେ ନିଜକୁ ବନ୍ଧୁକରେ ମାରି ଦେବି ବୋଲି ବୋଲି ଧମକ ଦେଉଛି । ଏହି ଘଟଣା ଖବର ପାଇଁ ବଲାଙ୍ଗୀର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ କାବୁ କରିବାକୁ ଚେଷ୍ଟା କରୁଛି । ଘଟଣାସ୍ଥଳରେ ଏସ୍‌ଡିପିଓ, ବଲାଙ୍ଗୀର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡିଛି । ସିଡି ପକାଇ ଝରକା ବାଟ ଦେଇ ଘର ଭିତରକୁ ଏସ୍‌ଡିପିଓଙ୍କ ସହ ଅଗ୍ନିଶମ ବିଭାଗର ଅଧିକାରୀମାନେ ପଶି ଥିଲେ । ଏହାପରେ ଅଗ୍ନିଶମ ବିଭାଗର ସହାୟତା କ୍ରମେ ଦୁଇଜଣ ପୁରୁଷ ଓ ଜଣେ ମହିଳା ବନ୍ଧକଙ୍କୁ ଉଦ୍ଧାର କରାଯାଇଛି । ଏ ସଂପର୍କରେ ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ବନ୍ଧୁକଧାରୀ ଯୁବକ ଆଜି ସକାଳେ ଶାନ୍ତିପଡ଼ାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲା। ସେତେବେଳେ ଘରେ ୩ ଜଣ ସଦସ୍ୟ ଥିଲେ। ସେମାନେ ଗୋଟିଏ ରୁମ୍‌ରେ ନିଜକୁ ବନ୍ଦ କରି ଦେଇଥିବା ବେଳେ ବନ୍ଧୁକଧାରୀ ଘର ଭିତରେ ଅନ୍ୟ ଏକ ରୁମ୍‌ରେ ବସିରହିଥିଲା। ପୁଲିସ୍‌ ଫୋନ୍‌ ଯୋଗେ ଉକ୍ତ ଯୁବକକୁ ସହିତ ଆଲୋଚନା କରିଥିଲା। କିନ୍ତୁ ତାକୁ ବୁଝାଇବାରେ ପୁଲିସ୍ ‍ବିଫଳ ହୋଇଥିଲା। ଏହା ପରେ ତା’ ମା’ଙ୍କୁ ଘର ଭିତରକୁ ପଠାଯାଇଥିଲା। କିନ୍ତୁ ବିଶେଷ କିଛି ଫରକ ପଡ଼ି ନଥିଲା। ଯୁବକ ଜଣକ କାହା କଥା ଶୁଣି ନଥିଲେ।

ଅନ୍ୟପକ୍ଷରେ ଉଦ୍ଧାର ହେବା ପରେ ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି ଘରର ମୁଖ୍ୟ ଦିବ୍ୟଲୋଚନ ହୋତା। ସେ କହିଛନ୍ତି, ସକାଳେ ପୂଜା କରୁଥିବା ବେଳେ ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା। ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବି ନେଲି। କିନ୍ତୁ ହଠାତ ସେ ପିସ୍ତଲ ବାହାର କରି ତୁମ ଭାଣିଜୀ କୁଆଡ଼େ ଗଲା ବୋଲି କହିଲା। ତୁମ ଭାଣିଜୀକୁ ଡାକ ନହେଲେ ମାରିଦେବି ବୋଲି କହିଲା। ତା’ ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଲା। ଆମେ ସମସ୍ତେ ଗୋଟିଏ ରୁମ୍‌ରେ ପଶି ଭିତରୁ କବାଟ ଦେଇଦେଲୁ। ମୁଁ ଚିହ୍ନିନି ସେ କିଏ। ମୋତେ ସେ ଆତଙ୍କବାଦୀ ଭଳି ଲାଗିଲା। ଜୀବନରେ ମୁଁ କେବେ ବନ୍ଧୁକ ଦେଖିନଥିଲି। ତା’ ପାଖରେ ବନ୍ଧୁକ ଦେଖି ବହୁତ ଡରିଯାଇଥିଲି।

Comments (0)
Add Comment