ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଧବଳେଶ୍ୱର ପୀଠକୁ ଆସିବେ । ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ ସହ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଦୁଇ ବର୍ଷରେ ଗଞ୍ଜାମର ବିକାଶମୂଳକ କାର୍ଯ୍ୟ ଏବଂ ଆଗକୁ ଯୋଜନା ଥିବା ବହୁ ପ୍ରକଳ୍ପ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।
ଏହି ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମଙ୍ଗଳବାର ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ୍କୁ ଯାଇ ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ବିଭାଗୀୟ ଅଧିକାରୀ ।