କରୋନା କଥା – 5 : କରୋନା ଟୀକା ପରୀକ୍ଷା !

ବ୍ରିଟେନ୍ ପାଇଁ ଆଜି ଏକ ଏତିହାସିକ ଦିନ ! ସାରାବିଶ୍ୱ ମଧ୍ୟ ଆଜି ଦିନର ସଫଳତାର ଅପେକ୍ଷାରେ ପ୍ରାର୍ଥନା କରୁଛି l
ଆଜିଠାରୁ ଆରମ୍ଭ ହୋଇଛି ମହାମାରୀ କରୋନା ପ୍ରତିଷେଧକ ପାଇଁ ଗବେଷଣା ପ୍ରସୂତ ଟୀକାର ମାନବ ପ୍ରୟୋଗ ! କିଛିଦିନ ଭିତରେ ଏହାର ଫଳ ଜଣାପଡିବ ଓ ସାରା ବିଶ୍ୱକୁ କରୋନା ମୁକାବିଲା ପାଇଁ ଏକ ନୂଆ ଦିଗଦର୍ଶନ ମିଳିବ l ସେହି କାରଣରୁ ସାରା ବିଶ୍ୱ ନଜରରେ ଏବେ ଖ୍ୟା ଅକ୍ସଫୋର୍ଡ ୟୁନିଭର୍ସିଟି l

ବ୍ରିଟେନର ବିଶ୍ଵବିଖ୍ୟାତ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଗୁରୁବାର ଦିନ ଆରମ୍ଭ ହୋଇଥିଲା ମଣିଷ ଶରୀରରେ ଟୀକାର ପ୍ରୟୋଗ ! ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଟୀକା ଉଦ୍ଭାବନ ସହ କରୋନା ମୁକାବିଲା ପାଇଁ ଏହାକୁ ପ୍ରୟୋଗ କରିଛନ୍ତି l ଏଥିପାଇଁ ବ୍ରିଟେନର 18 ରୁ 55 ବର୍ଷ ଭିତରେ 500 ଜଣ ବିଭିନ୍ନ ବର୍ଗ ଓ ବୟସର ସ୍ଵେଚ୍ଛାସେବୀଙ୍କୁ ବଛାଯାଇଥିଲା ! ପ୍ରତ୍ୟେକଙ୍କୁ ଏଥିପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ 60 ହଜାର ଟଙ୍କା ସହାୟତା ମଧ୍ୟ ଦିଆଯାଉଛି!

ସାରା ବିଶ୍ୱ ଯେତେବେଳେ କରୋନା ନିରାକରଣ ଉଦ୍ୟମ ଜାରି ରଖିଛି ସେତେବେଳେ ବ୍ରିଟେନ ମଧ୍ଯ ଏହି ଦୌଡରୁ ପଛରେ ପଡ଼ିନାହିଁ! ମହାମାରୀ କରୋନାଭାଇରସ୍ ଟୀକା ପରୀକ୍ଷା କାର୍ଯ୍ୟକ୍ରମକୁ ସହାୟତା କରିବାକୁ ବ୍ରିଟେନ ସରକାର 20 ନିୟୁତ ପାଉଣ୍ଡ ଅର୍ଥାତ୍, 188 କୋଟି ଟଙ୍କା ଖର୍ଚ୍ଚ ପାଇଁ ବଜେଟ୍ ଅନୁମୋଦନ କରିଛନ୍ତି! ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ କହିଛନ୍ତି ଯେ ମାରାତ୍ମକ ଭୂତାଣୁ ବିରୁଦ୍ଧରେ ଟିକା ଖୋଜିବାରେ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି l କରୋନା ମୁକାବିଲା ଦୌଡରେ ମାନବ ଶରୀରରେ ସଫଳ ଟିକା ପରୀକ୍ଷା କରିବାରେ ବିଶ୍ୱର ପ୍ରଥମ ଦେଶ ହେବାର ଗୌରବ ବ୍ରିଟେନ ହାସଲ କରିପାରିଛି!

ଅକ୍ସଫୋର୍ଡ କରୋନା ପ୍ରତିଷେଧକ ପ୍ରକଳ୍ପର ପ୍ରଫେସର ସାରା ଗିଲବର୍ଟଙ୍କ ସୂଚନା ମତେ ଚଳିତ ବର୍ଷ ଜାନୁଆରୀରେ, ଚାରି ମାସ ହେଲା କରୋନାଭାଇରସ୍ ଟୀକା ଗବେଷଣା କାର୍ଯ୍ୟ ୟୁନିଭର୍ସିଟି ପକ୍ଷରୁ ଆରମ୍ଭ କରାଯାଇଥିଲା ଓ ଆଜିର ପ୍ରୟୋଗ ପରେ ଏହାର ସଫଳତା ସମ୍ଭାବନା 80 ପ୍ରତିଶତ ଆଶା କରାଯାଉଛି! ପ୍ରଫେସରଙ୍କ କହିବା କଥା ହେଉଛି ଯେ ଟୀକା ବିକାଶ ତଥା ପରୀକ୍ଷଣର ଅକ୍ସଫୋର୍ଡର ଦକ୍ଷତା ଏବଂ ଅଭିଜ୍ଞତାକୁ ବ୍ୟବହାର କରି ଏହି ସ୍ଥିତିରେ ପହଞ୍ଚିବା ପାଇଁ ଏକ ଅଭିଜ୍ଞ ଗବେଷକ ଦଳ ଅକ୍ଲାନ୍ତ ପରିଶ୍ରମ କରିଆସୁଛନ୍ତି ଏବଂ ଏଭଳି ବିପଦଜ୍ଜନକ ପରୀକ୍ଷଣରେ ଅଂଶଗ୍ରହଣକାରୀଙ୍କ ନିରାପତ୍ତାକୁ ସର୍ବଦା ପ୍ରାଧାନ୍ୟ ଦିଆଯାଇଛି ! ଟୀକା ନେଇଥିବା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ଯଦି ବହୁତ କମ୍ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୁଏ, ତେବେ ଚୁଡାନ୍ତ ଫଳାଫଳ ପାଇବା ପାଇଁ ଆମକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ବୋଲି ପ୍ରଫେସର ଗିଲବର୍ଟ ମତ ଦିଅନ୍ତି ।

ଗିଲବର୍ଟ କହିଛନ୍ତି ଯେ ଆମେ ପ୍ରକୃତରେ ଦେଖିବାକୁ ଚାହୁଁ ଯେ, ଟୀକା ନେବା ଦ୍ଵାରା ମଣିଷ ସୁରକ୍ଷିତ ରହିପାରୁଛି ନା ନାହିଁ? ଏହା ମଣିଷ ଶରୀରକୁ ପ୍ରତିରକ୍ଷା ପ୍ରତିକ୍ରିୟା ଦେଇ ପାରୁଛି ନା ନାହିଁ? ଏବଂ ଏହାର ସୁରକ୍ଷିତ ମାତ୍ରା କେତେ ଓ କଣ କଣ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି – ଏମିତି ଅନେକ ପ୍ରଶ୍ନ ଓ ଆବଶ୍ୟକତା ଉପରେ ଗବେଷଣା ଚାଲିଛି l ସୂଚନା ମତେ ଏହି ଟୀକାକୁ ଜେନେଟିକ୍ ଇଂଜିନିୟରିଂ ଦ୍ଵାରା ଏକ ସୁସ୍ଥ ଶିମ୍ପାଞ୍ଜି ଶରୀରରୁ ସଂଗୃହୀତ ଭୂତାଣୁରୁ ପ୍ରସ୍ତୁତ କରାଯାଇଛି, ଯାହାକି ସ୍ଵେଚ୍ଛାସେବୀମାନଙ୍କ ଉପରେ ପରୀକ୍ଷା କରିଯାଇ ଦେଖାଯିବ, ସେମାନଂକୁ ମାରାତ୍ମକ କୋଭିଡ -19 ଆକ୍ରାନ୍ତ କରୁଛି ନା’ ନାହିଁ!

ଗବେଷଣା ଉପଲବ୍ଧ ଫଳ ପାଇବା ପାଇଁ ସେପ୍ଟେମ୍ବରକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି ଓ ସଫଳତା ମିଳିଲେ ଏହି ସମୟ ସୁଦ୍ଧା ପ୍ରାୟ 10 ଲକ୍ଷ ଡୋଜ ପ୍ରସ୍ତୁତି ପାଇଁ ଆଶାବାଦୀ ଅଛନ୍ତି ୟୁନିଭର୍ସିଟି କର୍ମକର୍ତ୍ତା | ଏଥି ପାଇଁ ୟୁନିଭରସିଟି ପକ୍ଷରୁ ଆଗୁଆ ବ୍ରିଟେନ ଏବଂ ବିଦେଶୀ ଫାର୍ମା କମ୍ପାନୀ ଓ ନିର୍ମାତାମାନଙ୍କ ସହିତ ଚୁକ୍ତିର ଯୋଜନା କରାଯାଇଛି l

ଆଶା ରଖିବା ଏଭଳି ଗବେଷଣା ମାନବଜାତିକୁ କରୋନା ମୁକାବିଲା ପାଇଁ ଏକ ଦୀର୍ଘସ୍ଥାୟୀ ବା ଚିରନ୍ତନ ସୁଫଳ ଆଣିଦେବ ବା ନୂଆ ଦିଗଦର୍ଶନ ଦେବ l

Comments (0)
Add Comment