ତୁରିକେଲା ବ୍ଲକରେ ମହାଦୁର୍ନୀତି, କରୋନା ନାଁରେ ଲକ୍ଷାଧିକ ଟଙ୍କା ହଡପ

କଣ୍ଟାବାଞ୍ଜି (ହୀ ପ୍ର ): ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଛି ଲକ୍ଷାଧିକ ଟଙ୍କା ହଡପ । କରୋନା ସମୟରେ ଆସିଥିବା ଟଙ୍କାର ବିବରଣୀ ଓ ହୋଇଥିବା ଖର୍ଚ୍ଚର ବିସ୍ତୃତ ବିବରଣୀକୁ ଆଧାର କରି ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୁରଥ ବେହେରା । ସ୍ଥାନୀୟ ଡାକବଙ୍ଗଳାରେ ପ୍ରେସ ମାଧ୍ୟମରେ ପ୍ରକାଶ କରିଛନ୍ତି ସୁରଥ ବେହେରା । ସେ କହିଛନ୍ତି ଯେ ତୁରିକେଲା ବ୍ଲକରେ ଗତ ଦୁଇ ବର୍ଷ ଡବ୍ଲୁ ଓ ବିସି, ବିଧାୟକ ଅନୁଦାନ ପାଣ୍ଠି,ଏସ ଏଫ ସି,ସା ଏଫ ସା,ଗରିବ କଲ୍ୟାଣ ରୋଜଗାର ଯୋଜନାରେ ୨ କୋଟି ୫୯ ଲକ୍ଷ ୫ ହଜାର ୪୦୩ ଟଙ୍କା ମିଳିଥିବା ବେଳେ କୋଭିଡ ପରିଚାଳନା ପାଇଁ ୬ କୋଟି ୮୩ ଲକ୍ଷ ୪୪ ହଜାର ୩୫୪ ଟଙ୍କା ଆସିଥିଲା । କିନ୍ତୁ ଏହି ଅର୍ଥ ବିତରଣରେ ବ୍ୟାପକ ଦୁର୍ନୀତି ଓ ଅନିୟମ ମତତା ଅଭିଯୋଗ କରିଛନ୍ତି । କୋଭିଡ ପରିଚାଳନା ଅର୍ଥକୁ ବ୍ଲକ ନିଜ ତରଫରୁ ଖର୍ଚ୍ଚ କରୁଥିବା ବେଳେ ଏହି ବ୍ଲକର ୧୯ଟି ପଂଚାୟତର ପ୍ରାୟ ସମସ୍ତ ସରପଞ୍ଚ ଅଭିଯୋଗ କରିଛନ୍ତି । ସେମାନଙ୍କୁ କୋଭିଡ ପରିଚାଳନା ପାଇଁ ଅନେକ ଦାୟିତ୍ୱ ଦେଇଥିଲେ ମଧ୍ୟ ସେମାନଙ୍କୁ ଏ ବାବଦକୁ ହୋଇଥିବା ଖର୍ଚ୍ଚର ଅର୍ଥ ମିଳିପାରିନାହିଁ । ପୁଣି କୋଭିଡ ୧୯ ପରିଚାଳନାରେ ପ୍ରବାସୀ ଶ୍ରମିକ ପାଇଁ ସଙ୍ଗରୋଧ କେନ୍ଦ୍ରରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି ବୋଲି କୁହା ଯାଉଛି ସେ ଅନୁସାରେ ଶ୍ରମ ବିଭାଗ ଯେଉ ତଥ୍ୟ ଦେଇଛନ୍ତି ଗତ ଦୁଇ ବର୍ଷ ମଧ୍ୟରେ ତୁରିକେଲା ବ୍ଲକରୁ ମାତ୍ର ୪୫୮ ଜଣ ପ୍ରବାସୀ ଶ୍ରମିକ ଥିଲେ ,ଏ ମାନଙ୍କ ଖର୍ଚ୍ଚ ର ହିସାବ କଲେ ଜଣ ପିଛା ୧ ଲକ୍ଷ ୩୯ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଅସମ୍ଭବ ଅଟେ । ଅନ୍ୟପକ୍ଷରେ ବ୍ଲକକୁ ମିଳିଥିବା ଏସ ଏଫ ସା, ସା ଏଫ ସା,ଓ ଅନ୍ୟ ଯୋଜନାର ଅର୍ଥ ଜନସଂଖ୍ୟା ଅନୁପାତରେ ସମାନ ବିତରଣ ହେବା ସ୍ଥଳେ ପକ୍ଷପାତ କରିବା ସହ ବିନା କାମରେ ଟଙ୍କା ଉଠାଣ ହୋଇଥିବା ଜଣା ପଡିଛି । ଯେପରି କି ତୁରିକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତକୁ ସର୍ବାଧିକ ୩୯ ଲକ୍ଷ, ବୁରୋମାଲକୁ ୩୭ଲକ୍ଷ, ତୁରିକେଲାକୁ ୩୪ ଲକ୍ଷ, ମହଖଣ୍ଡ କୁ ୨୪ଲକ୍ଷ, ଝରଣୀକୁ ୧୫ ଲକ୍ଷ, ଚାଉଳସୁଖାକୁ ୧୨ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଥିବା ବେଳେ ଏହି ବ୍ଲକର ମାଓ ପ୍ରବଳ ପଂଚାୟତ କନ୍ଦେଇ, କୁଇବାହାଲ, ବଡ଼ବାକିକୁ ମାତ୍ର ଗରିବ କଲ୍ୟାଣ ଯୋଜନା ରେ ୩ ଲକ୍ଷ ଟଙ୍କା ପାଇଁଖାନା ନିର୍ମାଣ ପାଇଁ ଦିଆଯାଇଛି । ଅବଶିଷ୍ଠ ପଂଚାୟତରେ ୧୦ ଲକ୍ଷରୁ ତଳେ ଅର୍ଥ ଖର୍ଚ୍ଚ ର ତଥ୍ୟ ମିଳିଛି । ପୁଣି ଅଭିଯୋଗ ହେଉଛି ଯେ ଅଧିକାଂଶ ପ୍ରକଳ୍ପ ନିମ୍ନମାନର ହୋଇଥିବା ବେଳେ କେତେକ କାମ ସରି ଯାଇଥିବା ବେଳେ ବିଲ୍ ଦିଆଯାଇ ନାହିଁ । ତେବେ ଏହି ପ୍ରକାର କାର୍ଯ୍ୟରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଚାପରେ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ଉକ୍ତ ଅନୁଦାନ ଅର୍ଥକୁ ହଡପ କରିବା ସହ ପକ୍ଷାପାତ କରିଛନ୍ତି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ।

Comments (0)
Add Comment