ବାଲିଗୁଡ଼ା: ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ପୋଲିସ୍ । ୫୨ କେଜି ଗଞ୍ଜେଇ ସହ କାର୍ ଜବତ । ଘଟଣାସ୍ଥଳରୁ ୪ ଜଣ ମାଫିଆଙ୍କୁ ବାନ୍ଧିଲା ଅବକାରୀ ପୋଲିସ୍ । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ନିଜ ଟିମ୍ ସହ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଅଞ୍ଚଳରୁ ଏକ କିଆ କାର୍ ରେ ଗଞ୍ଜେଇ ଚୋରା ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପେଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯାଇଥିଲା । ଦ୍ରୁତଗତିରେ ଯାଉଥିବା ଗଞ୍ଜେଇ ବୋଝେଇ କାରକୁ ଇଲେକ୍ଟିସାହି ଛକ ନିକଟରେ ମାଡ଼ି ବସିଥିଲା ଅବକାରୀ ପୋଲିସ୍ । ଏହି ଗଞ୍ଜେଇ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଅଞ୍ଚଳରୁ କେରଳ ଚାଲାଣ ହେଉଥିଲା ଏବଂ ଗିରଫ ହୋଇଥିବା ଚାରିଜଣ ମାଫିଆ କେରଳ ରାଜ୍ୟର ମାଲାପୁରମ୍ ଜିଲ୍ଲାର ସାହୁଲ୍ ହମ୍ମିଦ୍ ପିପି, ଅଭିଜିଥ୍ ସି, ଶ୍ରିରାଗ୍ ସି ଓ ପାଲ୍ଲାକାଡ ଜିଲ୍ଲାର ସେଲଭା କାର୍ଥକ ଏସ୍ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବାଲିଗୁଡ଼ା ଅବକାରୀ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ।