ହରଭଙ୍ଗା ଉନ୍ନୟନ ପରିଷଦର ବୈଠକ :ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ହରଭଙ୍ଗା,୩୦/୭:- ହରଭଙ୍ଗା ଆଞ୍ଚଳିକ ଉନ୍ନୟନ ପରିଷଦର ଏକ ବୈଠକ ସଭାପତି ପ୍ରଦିପ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ହରଭଙ୍ଗା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅପଗ୍ରେଡ କରିବା ପାଇଁ ପ୍ରାଥମିକ ଭିତ୍ତିରେ ଆଲୋଚନା ହୋଇଥିଲା ଏବଂ ଏଥିସହିତ ଅଞ୍ଚଳରେ ଗୋଟିଏ ଯୁକ୍ତ ତିନି ମହାବିଦ୍ୟାଳୟ ସ୍ଥାପନ ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଏ ଅଞ୍ଚଳରେ କିଛି ଜଳ ସେଚନ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯେହେତୁ ଏ ଅଞ୍ଚଳର ପ୍ରାୟ ଲୋକ ଚାଷୀ ଏବଂ ଚାଷ ଉପରେ ହିଁ ମୁଖ୍ୟତଃ ନିର୍ଭର କରିଥାନ୍ତି । ଏଣୁ ଅଞ୍ଚଳରେ ଥିବା ସମସ୍ତ ଜଳସେଚନ ପ୍ରକଳ୍ପ ଗୁଡିକ କ୍ରିୟାଶୀଳ କରିବାପାଇଁ ଗୁରୁତର ସହିତ ଆଲୋଚନା କରାଯାଇଥିଲା । ଏଥିସହିତ ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା ଅଗଷ୍ଟ ୧ ତାରିଖ ରେ ଜିଲ୍ଲାପାଳ ବୌଦ୍ଧ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ଦାବିପତ୍ର ଦେବାପାଇଁ ସର୍ବସମ୍ମତିକ୍ରମେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ସମ୍ପାଦକ ବିଜୟନନ୍ଦ ସାହୁ, ପଶ୍ଚିମଓଡିଶା ବିକାଶପରିଷଦର ସଦସ୍ୟ ସୁବୋଧ କୁମାର ପ୍ରଧାନ, ହରଭଙ୍ଗା ପଞ୍ଚାୟତର ସରପଙ୍କ ପ୍ରତିନିଧି ପ୍ରକାଶ ବେହେରା, ସଙ୍କୁଲେଇ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସତ୍ୟବାଦୀ ଚାଉଳିଆ, ଉପସଭାପତି ପ୍ରଫୁଲ୍ଲ କୁମାର କର୍ଣ୍ଣଙ୍କ ସମେତ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

Comments (0)
Add Comment