ଜଗନ୍ନାଥ ସଂସ୍କୃତିର ନିଆରା ପର୍ବ “ବାଲିଚଲା’

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କାଳିଆପଲ୍ଲୀଠାରେ ଶବରମାନଙ୍କର ପର୍ବ ବାଲିଚଲାଖିଆ ଅନୁଷ୍ଠିତ ହୋଇଯାଇଛି । ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ ତଥା ଗଛସାରଙ୍କ ପୃଷ୍ଠପୋଷକତାରେ ଏହି ପର୍ବ ପାଳନ ହେଉଛି । ଶବରମାନେ ପାରମ୍ପରିକ ବେଶଭୂଷା ହୋଇ ଏହି ପର୍ବକୁ ପାଳନ କରିବା ସହ ନୀଳମାଧବଙ୍କ ଐତିହ୍ୟକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ବ୍ରହ୍ମାଦି କ୍ଷେତ୍ରରେ ଆବିର୍ଭାବ ହୋଇଥିଲେ । ପ୍ରଭୁଙ୍କର ଉପସ୍ଥିତି ରାଜା ଇନ୍ଦ୍ରଦ୍ୟୁମ୍ନ ଜାଣିବା ପରେ, ସେ ବିଦ୍ୟାପତିଙ୍କୁ ମାଧବଙ୍କ ସନ୍ଧାନ ପାଇଁ ବ୍ରହ୍ମାଦି କ୍ଷେତ୍ର ପଠାଇଥିଲେ । ବିଦ୍ୟାପତି ଉତ୍କଳରୁ ଯାତ୍ରା ଆରମ୍ଭ କରି ଚିତ୍ରୋତ୍ପଳା ନଦୀ କୂଳେ କୂଳେ ଆସି ବ୍ରହ୍ମାଦି କ୍ଷେତ୍ର ନିକଟ ଧାଙ୍ଗିଡି ପାହାଡ ପାଦଦେଶରେ ପହଞ୍ଚିଥିଲେ । ନିକଟସ୍ଥ ଶବରପଲ୍ଲୀର ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତା ତାଙ୍କ ସାଙ୍ଗ ସାଥୀଙ୍କ ମେଳରେ ଆସି ଦୁଇଟି ନଦୀର ମିଳନ ସ୍ଥଳରେ (କମେଇ ମୁହାଣ) ଖେଳକୁଦ କରିବା ସହ ଜଳକ୍ରୀଡ଼ାମଧ୍ୟ କରୁଥାନ୍ତି । ନଦୀରେ ଲଳିତା ବୁଡି ଯାଉଥିବା ବେଳେ ବିଦ୍ୟାପତି ସେଇ ରାସ୍ତାଦେଇ ଯାଉଥିଲେ । ଲଳିତା ବୁଡିଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ବିଦ୍ୟାପତି ନଦୀ ଭିତରକୁ ଚାଲି ଯାଇଥିଲେ ଏବଂ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ଉପସ୍ଥିତ ଥିବା ଆଦିବାସୀ ଯୁବତୀମାନେ ବିଦ୍ୟାପତି ଏବଂ ଲଳିତାଙ୍କୁ ରଜାଙ୍କ ନିକଟକୁ ନେଇଥିଲେ । ଏ କଥା ରାଜା ଜାଣିବା ପରେ ପ୍ରଥମେ ସେ ବିଦ୍ୟାପତିଙ୍କୁ ଧନ୍ୟବାଦ ଜଣାଇଥିଲେ । ଜଣେ ଆଦିବାସୀ ଯୁବତୀଙ୍କ ଦେହ ସ୍ପର୍ଶ କରିଥିବାରୁ ରାଜାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ପର ମୂହୁର୍ତ୍ତରେ ବିବାହ ମଧ୍ୟ କରିଥିଲେ ।

ଏହି ଘଟଣା ଘଟିଥିବା ସ୍ଥାନରେ କାଳକ୍ରମେ ଆଦିବାସୀ ସମାଜ ପକ୍ଷରୁ ମାଘ ମାସ କୃଷ୍ଣପକ୍ଷ ଦ୍ୱିତୀୟ ତିଥିରେ ବାଲିଚଲା ପର୍ବ ପାଳନ ହୋଇଆସୁଛି । ଏ ଅବସରରେ ଶବର ସମାଜ ପକ୍ଷରୁ ଯୁବତୀ ମାନେ ଧନୁମୁଆଁ, ବିଭିନ୍ନ ପ୍ରକାର ପିଠାକୁ ଲଲିତା ବିଦ୍ୟାପତିଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ପଦ୍ଧତିରେ ପୂଜାର୍ଚ୍ଚନା କରିଥାନ୍ତି । ୧୯୯୬ ମସିହାରୁ ପରିବେଶବିତ ଅନ୍ତର୍ଯ୍ୟାମୀ ସାହୁ ଆଦିବାସୀଙ୍କ ଏହି ବିଶେଷ ପର୍ବକୁ ପ୍ରଚାର ପ୍ରସାର ଦିଗରେ ଉଦ୍ୟମ କରି ଆସୁଛନ୍ତି । ସ୍ଥାନୀୟ ଶବର ସମାଜ ପକ୍ଷରୁ ସୁଷମା ନାୟକ, ଲତା ବେହେରା, ମହାରଗି ନାୟକ, ମୁରଲୀ ନାୟକ ଓ ରୂପ ନାୟକ ପ୍ରମୁଖ ଏହି ପର୍ବକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇରଖିବା ସହିତ ଲୋକଲୋଚନରେ ସକ୍ରିୟ ରଖିପାରିଥିବା ସୂଚନା ମିଳିଛି । ସେହିପରି ଧାଙ୍ଗଡୀ ପାହାଡରେ ପୂଜା ପାଉଥିବା ଲଲିତ ମାଧବଙ୍କ ପୀଠକୁ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ପରିଦର୍ଶନ କରୁଥିବା ବେଳେ ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁଦାନ ମିଳିପାରିଲେ ପୀଠର ଉନ୍ନତିକରଣ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Comments (0)
Add Comment