ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିଜେପିର ଧାରଣା, ଏସପିଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ପାଟଣାଗଡ଼,୮/୨:- ପାଟଣାଗଡ଼ ସହରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଗତକାଲି ବିଜେପି ପକ୍ଷରୁ ଏସଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଆଜି ମଧ୍ୟାହ୍ନରେ ଏସପି ପହଞ୍ଚି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଧାରଣାରୁ ଓହରି ଯାଇଥିଲେ । ପ୍ରକାଶ ଯେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ନେତା ଓ କର୍ମୀ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ । ଉପଖଣ୍ଡର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଦେଓ ଏସପିଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ । ପୁଲିସ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲେ ବି ସେ ନିଜ ଜିଦରେ ଅଟଳ ରହିଥିଲେ । ବିଳମ୍ବିତ ରାତି ଯାଏ ଏସପି ଆନ୍ଦୋଳନ ସ୍ଥଳକୁ ଯାଇନଥିଲେ । ଫଳରେ ବିଜେପି ନେତା ଓ କର୍ମୀ ମାନେ ଭଜନ କୀର୍ତ୍ତନ କରି ରାତିତମାମ ଧାରଣା ଜାରି ରଖିଥିଲେ । ଆଜି ପୂର୍ବାହ୍ନରେ ଅତିରିକ୍ତ ଏସପି ପହଞ୍ଚି ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ହେଲେ ଏସପି ନଆସିବା ଯାଏ ଧାରଣା ଜାରିରହିବ ବୋଲି ଆନ୍ଦୋଳନକାରୀମାନେ ରୋକଠୋକ କହିଥିଲେ । ଏଣୁ ଅପରାହ୍ନ ୧ଟାରେ ଏସପି ନୀତିନ କୁଶଳକର ଆନ୍ଦୋଳନ ସ୍ଥଳରେ ପହଞ୍ଚି ବିଗତ ଦିନରେ ଘଟିଥିବା ବିଭିନ୍ନ ଅପରାଧିକ କାର୍ଯ୍ୟର ତଦନ୍ତ ସହ ବିହିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।

ଏହାପରେ ଆନ୍ଦୋଳନକାରୀ ଧାରଣାରୁ ଓହରି ଥିଲେ । ଏଥିରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଲକ୍ଷ୍ମଣ ବାଗ, ନାରୀନେତ୍ରୀ ଡାଳିମ୍ବ ମେହେର, ଜିଲ୍ଲା ପରିଷଦ ସଦସ୍ୟା ଅନୀମା ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କରମସିଂ ସରାଫ, ସାୟଦ ଅବଦୁଲ୍‌ ସିରାଜ, ଟାଉନ ବିଜେପି ସଭାପତି ସୁଶାନ୍ତ ମହାନ୍ତି, ସୁଶାନ୍ତ ଦାସ, ଗୋପବନ୍ଧୁ ସାହୁ, ରବିଚନ୍ଦ୍ର ସାହୁ, ଜ୍ଞାନରଞ୍ଜନ ପଟେଲ, କୁନୁ ମୁଣ୍ଡା, ନୀଳମଣି ସାହୁ , ବଲ୍ଲଭ ଧରୁଆଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment