ପୁରୀ-ପୁରୀରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଛି । ଗୁରୁବାର ଦୁଇଟି ତେଲ ବିକ୍ରୟ କେନ୍ଦ୍ର ସମ୍ମୁଖରେ ଭିଡ ଦେଖିବାକୁ ମିଳିଛି। ଆଉ କେତେକ ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଛି । ଗୋଟିଏ ଲିଟର ପେଟ୍ରୋଲ ପାଇବାକୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହାର ଫାଇଦା ଉଠାଉଛନ୍ତି ଖୁଚୁରା ବିକ୍ରେତା । ପେଟ୍ରୋଲ ଲିଟରକୁ ୨ ଶହ ଟଙ୍କାରେ ବିକ୍ରି କରୁଛନ୍ତି । କେତେକ ପେଟ୍ରୋଲ ଓ ଡିଜେଲ ବିକ୍ରେତା କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହାସତ୍ତ୍ବେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ କୌଣସି ତେଲ ବିକ୍ରୟ କେନ୍ଦ୍ର ଉପରେ ଏପର୍ଯ୍ୟନ୍ତ ଚଢ଼ଉ କରାଯାଇ ନାହିଁ ।
ତେଲ ଅଭାବ ଯୋଗୁଁ ଯାତ୍ରୀବାହୀ ବସ୍, ଟ୍ରକ୍, ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳ ପ୍ରଭାବିତ ହୋଇଛି । ପୁରୀ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ହୋଇଥିବାରୁ ତେଲ ସଙ୍କଟ ପର୍ଯ୍ୟଟକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପୁରୀ ବଡ଼ଦାଣ୍ଡ, ଗୁଣ୍ଡିଚା ମନ୍ଦିର, ପେଣ୍ଠକଟା, ବାଲୁଖଣ୍ଡ ଓ ବୀର ହରେକୃଷ୍ଣପୁର ନିକଟରେ ଥିବା ଟାଙ୍କି ତେଲ ଟାଙ୍କି ଗୁଡ଼ିକ ବନ୍ଦ ରହିଛି।