କଳାକାର ସମୀର ନାଗଙ୍କ ବିୟୋଗରେ ଶୋକ ସଭା

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାର ଜଣେ ସୁପରିଚିତ କଳାକାର ତଥା ତ୍ରିଶକ୍ତି ସାଂସ୍କୃତିକ ସଙ୍ଘର ସଭାପତି ସମୀର ନାଗଙ୍କ ଦୁଃଖଦ ବିୟୋଗ ଘଟିଛି । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନରୁ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ନାଗ ନିଜ କଳାକାର ଜୀବନ ତ୍ରିଶକ୍ତି ଅନୁଷ୍ଠାନରୁ ଆରମ୍ଭ କରିଥିଲେ । ମନୋଜ କୁମାର ପଟ୍ଟନାୟକ ନିର୍ଦ୍ଦେଶିତ ଅଲବମ ଆଇ ଲଭ ୟୁରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଅନେକ ଅଲବମ, କୋରାପୁଟିଆ ଫିଲ୍ମ ସୁଟ ବୁଟ, ତୋର ଦିୱାନା, ଓଡ଼ିଆ ଫିଲ୍ମ ପ୍ରତିବନ୍ଧକ, ଅଲାଚକ୍ର, ଭିଟାମାଟି ଏବଂ ବିଭିନ୍ନ ମଞ୍ଚ ନାଟକ, ସଚେତନ ମୁଳକ ପଥପ୍ରାନ୍ତ ନାଟକ ଇତ୍ୟାଦିରେ ଅଭିନୟ କରି କଳା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କରି ସ୍ମୃତିରେ ସ୍ଥାନୀୟ ସାଇ କେର ସମ୍ମିଳନୀ କକ୍ଷରେ ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ସହରର ଅନେକ କଳାକାର ସ୍ୱର୍ଗତ ନାଗଙ୍କ ସ୍ମୃତି ଚାରଣ କରିଥିଲେ । ଅତିଥି ଭାବରେ ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ସୁରେଶ ମହାନ୍ତି ଯୋଗ ଦେଇ ସମୀରଙ୍କ ବିୟୋଗରେ କଳାକାର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ସେହିପରି ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ସାମନ୍ତରାୟ ଯୋଗ ଦେଇ ସ୍ୱର୍ଗତ ସମୀର ଏକ ମେଳାପୀ ଓ ପରୋପକାରୀ ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା, ବରିଷ୍ଠ କଳାକାର ଦିଲୀପ ହିଆଲ, ସାଇ କେର ଅନୁଷ୍ଠାନର ମୁଖ୍ୟ ଦୁର୍ଗା ପାଢ଼ୀ, କଳାକାର ଜି.ବି.ଭି.ରବି, ବରିଷ୍ଠ ବଂଶୀ ବାଦକ ମୁରଲୀ ପଟ୍ଟନାୟକ ସମେତ ତ୍ରିଶକ୍ତି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତୁଷାର କାନ୍ତି ଖସଲା, କଳାକାର ଶଙ୍କର ନାୟକ ଏବଂ ଏଡିଟର ଚନ୍ଦନ ବାହାଦୂର ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।

Comments (0)
Add Comment