ସମ୍ବଲପୁରରେ ନୂଆ ୯୮ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୨୯/୯- ସମ୍ବଲପୁର ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ୯୮ ଜଣ ନୂଆ ପଜିଟିଭ ରୂପେ ଚିହ୍ନଟ ହୋଇଛନ୍ତି । ଏହା ତୃତୀୟ ସପ୍ତାହ ହେଲା, ଜିଲ୍ଲାରେ ଦୈନିକ ଚିହ୍ନଟଙ୍କ ସଂଖ୍ୟା ଶହେରୁ ଊର୍ଦ୍ଧ୍ୱ କିମ୍ବା ପାଖାପାଖି ରହୁଛି, ଯାହାକି ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଆଜିକାର ତାଜା ସ୍ଥିତି ଅନୁସାରେ ସମଗ୍ର ଜିଲ୍ଲାରେ ଆକ୍ରାନ୍ତଙ୍କ ମୋଟସଂଖ୍ୟା ୫୮୫୧ ହୋଇଛି ଓ ଏମାନଙ୍କ ମଧ୍ୟରୁ ୪୫୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ୨୨ଜଣଙ୍କ ମୃତ୍ୟୁହୋଇଛି ତଥା ବାକି ୧୨୭୬ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସମଗ୍ର ଜିଲ୍ଲାର ସ୍ଥିତି ଏପରି ସଙ୍ଗୀନ ସତ୍ତେ୍ୱ ଜନସାଧାରଣଙ୍କ ମନରେ ଆଦୌ ଚେତା ପଶୁନାହିଁ ଓ ସବୁଆଡେ ଜନଗହଳି ଦେଖାଯାଉଛି । କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଇବା ପାଇଁ ପୁଲିସ ପକ୍ଷରୁ ନିୟମିତ ପ୍ରଚେଷ୍ଟା ଚାଲିଛି, ହେଲେ ଏଥିରେ ଲୋକଙ୍କ ସହଯୋଗ ମିଳୁନାହିଁ । ବିଗତ ୨୪ଘଣ୍ଟା ମଧ୍ୟରେ ପୁଲିସ ଏପରି ୪୬୨ ଜଣ ଅମାନିଆଙ୍କ ଠାରୁ ମୋଟ ୩. ୨୮୫ ଲକ୍ଷ ଟଙ୍କା ଜୋରିମାନା ରୂପେ ଆଦାୟ କରିଛି, ତଥାପି ସ୍ଥିତି ନିୟନ୍ତ୍ରଣରେ ରହୁନାହିଁ । କେବଳ ସମ୍ବଲପୁର ଜିଲ୍ଲା କାହିଁକି ସମଗ୍ର ପଶ୍ଚିମାଞ୍ଚଳରେ ବଡ ହସ୍ପିଟାଲ ରୂପେ ପରିଚିତ ବୁର୍ଲା ସ୍ଥିତ ଭିମସାରରେ କରୋନାର କରାଳ ଛବି ଦେଖାଯାଉଛି । କେବଳ ସେହି ଗୋଟିଏ ଚିକିତ୍ସାନୁଷ୍ଠାନ ଗତସନ୍ଧ୍ୟା ପର୍ଯ୍ୟନ୍ତ ୨୯୭ ଜଣ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି, ଯଦିଓ ଏହି ଅଞ୍ଚଳର ୧୦ ଟି ଜିଲ୍ଲାର ଲୋକେ ଉଚ୍ଚ ଚିକିତ୍ସା ପାଇଁ ଏହାଉପରେ ଆଶ୍ରିତ । ସେଠାରୁ ମିଳିଥିବା ତାଜାସ୍ଥିତି ଅନୁସାରେ ନିସ୍ତେଜକ ବିଭାଗର ଜଣେ ବରିଷ୍ଠ ଚିକିତ୍ସକ ସହିତ ଚର୍ମ ଓ ଯୌନରୋଗ ବିଭାଗର ୪ଜଣ ସେବିକାଙ୍କୁ ଗତ ୨୪ଘଣ୍ଟା ମଧ୍ୟରେ ପଜିଟିଭ ଚିହ୍ନଟ କରାଯାଇଛି ଓ ଏହାପୂର୍ବରୁ ରବିବାର ଦିନ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଜଣେ ଚିକିତ୍ସକ ଓ ଜଣେ ରେଡିଓଗ୍ରାଫରଙ୍କୁ ପଜିଟିଭ ଚିହ୍ନଟ କରାଯାଇଥିଲା । ଏଣୁ ନିସ୍ତେଜକ, ଚର୍ମ-ଯୌନରୋଗ, ସ୍ତ୍ରୀ-ପ୍ରସୂତୀ ଓ ରେଡିଓଲୋଜୀ ଆଦି ବିଭାଗଗୁଡିକ ବନ୍ଦ ରଖାଯାଇଛି ।

Comments (0)
Add Comment