ଆଜି ଠୁ ବଦଳିବ ପାଗ, ରାଜ୍ୟରେ କମିବ ତାତି

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଦିନର ତାପମାତ୍ରା ବଢିବାରେ ଲାଗିଛି । ଫେବୃଆରୀ ନ ସରୁଣୁ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା 35 ଡିଗ୍ରୀ ପାର୍ ହୋଇଛି । କିନ୍ତୁ ଆଜି ଠାରୁ ପାଗ ବଦଳିବ । ଦିନର ତାପମାତ୍ରା କମିବା ସହ ତାତିରୁ ମିଳିବ ତ୍ରାହି ।ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ବି ହୋଇପାରେ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା ସମ୍ଭାବନା ନାହିଁ । ଅପରପକ୍ଷରେ ବର୍ତ୍ତମାନ ତୁଳନାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ସମ୍ଭାବନା ଅଛି ।ଶୁକ୍ରବାର ଠାରୁ ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିବ । ଗୁରୁଚାପ ବଳୟ ଯୋଗୁ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହିବ । ଏହା ପଶ୍ଚିମ ପଟୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସି ବର୍ଷା କରାଇବା ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି, ଶୁକ୍ରବାର ଉପକୂଳ ଓଡ଼ିଶା ସହ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଶନିବାର ଉତ୍ତର ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳର ଅଳ୍ପ କେତେକ ସ୍ଥାନରେ ଏବଂ ଦକ୍ଷିଣ ଉପକୂଳ ଏବଂ ରାୟଗଡ଼ା, କୋରାପୁଟର ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ଅଛି ।ଆଜି ଅପେକ୍ଷା ଆସନ୍ତାକାଲି ବର୍ଷାର ପରିମାଣ ବଢିବ । ପ୍ରାୟ ୬ ଦିନ ଯାଏଁ ବର୍ଷା ଲାଗି ରହିବ । ମେଘୁଆ ପାଗ ଯୋଗୁଁ ଦିନର ତାପମାତ୍ରା କମିବାର ଆଶଙ୍କା ରହିଛି । ଗତକାଲି ସୁବର୍ଣ୍ଣପୁରରେ ସର୍ବୋଚ୍ଚ ତାପମାତ୍ରା ୩୬. ୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ୩୬. ୨ ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ତାଳଚେର, ଭୁବନେଶ୍ୱର । ୫ ଟି ସହରରେ ୩୫ ଡିଗ୍ରୀ ଉପରେ ଥିଲା ପାରଦ ।

ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କଟକ, ବୌଦ୍ଧ, କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ୨୮ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୁଖ୍ୟତଃ ବର୍ଷାର ପରିମାଣ ପ୍ରାୟତଃ ହାଲୁକା ରହିବ । ଏହା ପ୍ରଭାବରେ ଦିନ ତାପମାତ୍ରା କମିବ । ହେଲେ ରାତି ତାପମାତ୍ରା କମିବନି । ରାତି ତାପମାତ୍ରା ପ୍ରାୟତଃ ୨୦ ଡିଗ୍ରୀ ଉପରେ ଅଛି ।

Comments (0)
Add Comment