ଲକଡାଉନ ଯୋଗୁଁ ପ୍ରସ୍ତାବିତ ଏପ୍ରିଲ-୨୯ କୋସଲ ମହାବନ୍ଦ ସ୍ଥଗିତ

ବଲାଙ୍ଗୀର: ଦେଶରେ ତଥା ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମଣର ଆତଙ୍କ ବଢିଚାଲିଛି । ଏହି ବ୍ୟାଧିର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ୨ ପର୍ଯ୍ୟାୟ ଲକଡାଉନ ଆଗାମୀ ମେ ୩ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଯାନବାହନ, ଅଫିସ କଚେରୀ, ସ୍କୁଲ କଲେଜ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦରହିଛି । ତେଣୁ ମାନବିକତା ଦୃଷ୍ଟିକୋଣରୁ ତଥା ପରିସ୍ଥିତିକୁ ଆଖି ଆଗରେ ରଖି କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ପ୍ରସ୍ତାବିତ ଏପ୍ରିଲ ୨୯ କୋସଲ ମହାବନ୍ଦକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷତ୍ତି କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିରେ ପ୍ରତିବର୍ଷ କୋସଲ ମହାବନ୍ଦ ପାଳନ କରାଯାଏ । ଏ ବର୍ଷ ମଧ୍ୟ ଏପ୍ରିଲ ୨୯ ତାରିଖରେ ମହାବନ୍ଦ ପାଳନ କରିବାକୁ ନିଷ୍ପତ୍ତି କରାଯାଇଥିଲା । କିନ୍ତୁ ସାଂପ୍ରତିକ ପରିସ୍ଥିତିକୁ ଆଖି ଆଗରେ ରଖି ଏହି ମହାବନ୍ଦକୁ ସାମୟିକ ଭାବରେ ସ୍ଥଗିତ କରାଯାଇଛି . ପରବର୍ତ୍ତୀ ସମୟରେ ପରିସ୍ଥିତ ସ୍ୱାଭାବିକ ହେଲେ ଏ ସଂପର୍କିତ ନିଷ୍ପତ୍ତି ନିଆଯିବ ବୋଲି ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପରିସ୍ଥିତିକୁ ଆଖି ଆଗରେ ରଖି ଏ ବର୍ଷ ଏପ୍ରିଲ ୧ କଳା ଦିବସକୁ ମଧ୍ୟ ଭିନ୍ନ ଢଙ୍ଗରେ ପାଳନ କରାଯାଇଥିଲା । ଏହାଛଡା ଲକଡାଉନ ଯୋଗୁଁ ଭୀଷଣ ଅସୁବିଧାରେ ପଡିଥିବା ଗରିବ ଓ ଅସହାୟ ଲୋକଙ୍କୁ ସହାୟତା ଦେବାପାଇଁ କୋସଲ ଆନ୍ଦୋଳନକାରୀ ସ୍ୱେଚ୍ଛାସେବୀମାନେ ସର୍ବତ୍ର କାର୍ଯ୍ୟରତ ଥିବାରୁ ପରିସ୍ଥିତି ସ୍ୱାଭାବିକ ହେଲାପରେ ଆନ୍ଦୋଳନର ରୂପରେଖ ନିର୍ଣ୍ଣିତ ହେବ ବୋଲି ସଂଗଠନ ତରଫରୁ ନିଷ୍ପତ୍ତି କରାଯାଇଛି ବୋଲି ସଂଗଠନର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Comments (0)
Add Comment