ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠୋସ୍ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ତୃତୀୟ ପର୍ଯ୍ୟାୟ ଅବଧି ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଯୋଗୁଁ ଲୋକମାନେ ବେରୋଜଗାରୀ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ହାତରେ କିପରି ରୋଜଗାର ଯୋଗାଇ ଦିଆଯିବା ସେ ନେଇ ଠୋସ୍ ନିଷ୍ପତ୍ତି ନେଇଛନ୍ତି । ମାନବିକତା ଓ ବୃତ୍ତିଗତ ଦକ୍ଷତା ସହ ଏହି କଠିନ ପରିସ୍ଥିତିର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଲମ୍ବା ଯୁଦ୍ଧ । କୋଭିଡ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ବର୍ତ୍ତମାନ ସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆମାନେ ରାଜ୍ୟକୁ ଫେରୁଥିବାରୁ ରାଜ୍ୟର ବିଭିନ୍ନ ଅଂଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟଶିବିରଗୁଡିକର ପରିଚାଳନା ଏବଂ କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏହାକୁ ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡିକର ଅନ୍ତେବାସୀମାନଙ୍କୁ କୋଭିଡ ରୋଗ ପରିଚାଳନା ସଂପର୍କରେ ଯେଉଁଠି ଆବଶ୍ୟକ ତାଲିମ ଦରକାର ତାହାକୁ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଏ ନେଇ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆସନ୍ତା ସପ୍ତାହକ ମଧ୍ୟରେ ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡ, ଭଦ୍ରକ, ଯାଜପୁର, ବଲାଙ୍ଗୀର ଜିଲ୍ଲାରେ କୋଭିଡ କେୟାର ସେଣ୍ଟରର ସଂଖ୍ୟା ବୃଦ୍ଧି ଆବଶ୍ୟକ ହେବ । ଏଣୁ ଏହା ଉପରେ ଯୁଦ୍ଧକାଳୀନ ଭିତ୍ତିରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସମୟରେ ଗର୍ଭବତି ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଆବଶ୍ୟକ । ଜୀବନଜୀବିକା ଏବଂ ଅର୍ଥନୈତିକ ପୁନରୁଦ୍ଧାର ସଂପର୍କରେ ମୁଖ୍ୟମନ୍ତ୍ରୀ ମନରେଗା ଓ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଅର୍ଥନୀତିକୁ ଅଧିକ ସଶକ୍ତ ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମୀଙ୍କ ପାଇଁ ପିପିିଇ ଓ ଅନ୍ୟ ମେଡିକାଲ ଉପକରଣ ଗୁଡିକର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । କୃଷି, ଅର୍ଥନୀତିକୁ ଅଧିକ ସୁଦୃଢ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଏକ ଅଧ୍ୟାଦେଶ ଆଣିବେ ବୋଲି ବୈଠକରେ ସୂଚନା ଦେଇଥିଲେ । ବର୍ତ୍ତମାନ ରବି ଧାନ ଅମଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଣୁ ଚାଷୀଙ୍କ ପାଖରେ ସାର, ବିହୀନ ଓ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ କିଭଳି ପହଞ୍ଚିବ ତାହା ଉପରେ ଧ୍ୟାନ ଦେବାକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ ସବୁ ବିଭାଗର ସଚିବ, ପୁଲିସ ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।