ଘୁ.ଉଦୟଗିରି,୧୦/୫: ସରକାରଙ୍କ ବିଚିତ୍ର ଶିକ୍ଷା ବ୍ୟବସ୍ଥା । ଆମ ଦେଶରେ ଶିକ୍ଷା ଆମ ମୌଳିକ ଅଧିକାର । କେନ୍ଦ୍ର ଏବଂ ରାଜ୍ୟ ସରକାର ସୁନିଶ୍ଚିତ ଶିକ୍ଷାବ୍ୟବସ୍ଥା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାସହ କୋଟିକୋଟି ଟଙ୍କା ବ୍ୟୟ କରୁଥିବାବେଳେ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିପର୍ଯ୍ୟସ୍ତ ଅବସ୍ଥା କହିଲେ ନସରେ । ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ପିଲାଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା ନିମନ୍ତେ ବ୍ୟାପକ ଯୋଜନା ପ୍ରଣୟନ କରି ପିଲାଙ୍କୁ ମାଗଣା ଶିକ୍ଷା ଯୋଗେଇବା ଠାରୁ ଆରମ୍ଭକରି ମଧ୍ୟାହ୍ନ ଭୋଜନ, ମାଗଣା ବହି, ଜୋତା ଭଳି ସବୁ ଆନୁସାଙ୍ଗିକ ଜିନିଷପତ୍ର ଯୋଗେଇ ଚାଲିଥିବାବେଳେ ଶିକ୍ଷକ ଯୋଗେଇଦେବାରେ ବିଫଳ ହୋଇଛନ୍ତି । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ୬୪ବର୍ଷର ଏକ ପୁରୁଣା ପ୍ରାଥମିକ ବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଦୃଶ୍ୟ ଦେଖିଲେ ପିଲାଙ୍କ ଭବିଷ୍ୟତ କଣ ହେବ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରଟିଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀରେ ମୋଟ ୬୮ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି । ପାଠପଢା ନିମନ୍ତେ ମାତ୍ର ଦୁଇଟି ଶ୍ରେଣୀଗୃହ ଅଛି । ଦୁଇଟି ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ପିଲାମାନେ ଏକତ୍ରିତ ହୋଇ ବସି ପାଠ ପଢ଼ୁଥିବା ଦେଖୁବାକୁ ମିଳିଛି ।ଏହି ଦୃଶ୍ୟକୁ ଦେଖିବା ପରେ କେମିତି ପାଠପଢ଼ା ଚାଲିଛି ପିଲା କେତେ ପଢୁଛନ୍ତି କେତେ ଗ୍ରହଣ କରୁଛନ୍ତି ଠିକ ଅନୁମାନ କରିହେବ । ପ୍ରଶ୍ନ ଉଠୁଛି ସରକାର ସବୁ ସୁବିଧା କରୁଛନ୍ତି ହେଲେ ପିଲାଙ୍କୁ ପାଠ ପଢେଇବା ନିମନ୍ତେ ଶିକ୍ଷକ ଯୋଗେଇ ଦେବାରେ କାର୍ପଣ୍ୟତା କାହିଁକି । ଅନ୍ୟପକ୍ଷରେ କୋଟିକୋଟି ଟଙ୍କା ବ୍ୟୟରେ ହାଇସ୍କୁଲ ଗୁଡ଼ିକର ରୂପାନ୍ତିକରଣ ଚାଲିଛି । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଗୁଡିକର ରୂପରେଖ ପରିବର୍ତ୍ତନ କରାଯାଉଛି । ହାଇସ୍କୁଲର ସମ୍ପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କରାଯାଉଛି ହେଲେ ପ୍ରାଥମିକ ବିଦ୍ୟାଳୟରେ ପିଲା ଉତ୍ତମ ଶିକ୍ଷାରୁ ବଞ୍ଚିତ ହୋଇ ହାଇସ୍କୁଲକୁ ଗଲାବେଳକୁ ପାଠ ବିଷୟରେ ଅଜ୍ଞ ଥିବ । ସ୍ଥାନୀୟ ଅଞ୍ଚଳରେ ଏହିଭଳି ବହୁ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପ୍ରାଥମିକ ଶିକ୍ଷା ସମାପ୍ତ କରି ହାଇସ୍କୁଲରେ ଦାଖଲ କରି ପାଠପଢା ଆରମ୍ଭ କଲା ବେଳକୁ ଭଲରେ ଓଡ଼ିଆ ଏବଂ ଇଂରାଜୀ ଅକ୍ଷର ଆସୁନାହିଁ ପଣିକିଆ ଆସୁନାହିଁ ଏହିଭଳି ଶିକ୍ଷା ବ୍ୟବସ୍ଥାର ମାନେ କଣ ? ଖାଲି ଯେ ପିଲାଙ୍କୁ ମାଗଣା ଭୋଜନ, ବହି, ଜୋତା ଦେଇଦେଲେ ପାଠ ହୋଇଯିବନି ପିଲାଙ୍କ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଅଭିଭାବକ ମହଲରେ ଦାବି ହେଉଛି ।