ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଆମେ ଗତ ଦୁଇ ମାସ ହେଲା ଅନେକ ଶିକ୍ଷାଲାଭ କରିଛୁ । ବୈଜ୍ଞାନିକ ଓ ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ମଧ୍ୟ ହାସଲ କରିଛୁ । ଏହି ଉପଲବ୍ଧି ଆମକୁ ଭବିଷ୍ୟତ କୌଶଳ ନିର୍ଦ୍ଧାରଣ ପାଇଁ ସାହାଯ୍ୟ କରିବ । ଆମେ ନିଜକୁ ସଂପୂର୍ଣ୍ଣ ସଂକ୍ରମଣମୁକ୍ତ କରିବାକୁ ହେଲେ ଜୀବନ ଜୀବିକା ଓ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା । ଏଣୁ ଉପଲବ୍ଧିକୁ ଭିତ୍ତି କରି ଭବିଷ୍ୟତ ପାଇଁ କୌଶଳ ନିର୍ଦ୍ଧାରଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିକ୍ ଜରିଆରେ କୋଭିଡ-୧୯ ନିୟନ୍ତ୍ରଣ ଓ ବାତ୍ୟା ପୁର୍ନଗଠନ ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାରେ କରୋନା ସଂକ୍ରମଣ ଗତି ଆମକୁ ନୂଆ ଆଶା ଦେଖାଇଛି । କଡାକଡି ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଦ୍ୱାରା ଆମେ ମହାମାରୀକୁ ସଫଳ ଭାବରେ ନିୟନ୍ତ୍ରଣ କରିପାରିବା । ଆମ ଅନୁଭୂତି କହୁଛି ବିପଦ ସଂକୁଳ ଜନସାଧାରଣ, ବିଶେଷକରି ବୟସ୍କ ବ୍ୟକ୍ତି ଏବଂ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିମାନଙ୍କର ଅଧିକ ଯତ୍ନ ଦରକାର । ଏଣୁ ଏହି କଥାକୁ ପ୍ରାଧାନ୍ୟ ଦେଇ ଆସନ୍ତା ୧ ମାସ ବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଆଗାମୀ ମାସେ ଆମ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ପୁଣି କହିଥିଲେ ଯେ, ସାମାଜିକ ଦୂରତାକୁ କେହି ସାମାଜିକ ବାସନ୍ଦ ବୋଲି ଭାବିବା ଠିକ୍ ନୁହେଁ । ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତା ରହିଛି । ଏହାହି ଆମର ଲକ୍ଷ୍ୟ । କରୋନା ନିୟନ୍ତ୍ରଣ ପାଇଁ ଆଗ ଧାଡିରେ ରହି କାମ କରୁଥିବା ବ୍ୟକ୍ତିବିଶେଷ ଏବଂ ବିପଦ ସଂକୁଳ ଜନସାଧାରଣଙ୍କର ସଠିକ୍ ସମୟରେ କୋବିଡ-୧୯ ପରୀକ୍ଷା କରାଯିବା ଆବଶ୍ୟକ । ଦେଶରେ କରୋନା ଭୂତାଣୁ ପରୀକ୍ଷଣ କ୍ଷେତ୍ରରେ ଆମ ରାଜ୍ୟ ଏକ ଆଗୁଆ ରାଜ୍ୟ ଭାବେ ନିଜକୁ ପହଞ୍ଚାଇ ପାରିଥିବାରୁ ସେ ଖୁସି ଅଛନ୍ତି ବୋଲି କହିଥିଲେ । ଆଗାମୀ ଦିନରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଅଂଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁଯୋଗ ଆରମ୍ଭ କରାଯିବ । ଆମ ରାଜ୍ୟରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆଇସିଏମ୍ଆରର ସୁପାରିଶ ଅନୁଯାୟୀ କରାଯାଇଛି । ସେହିଭଳି ଆନୁଷ୍ଠାନିକ କ୍ୱାରେଣ୍ଟାଇନକୁ ଆବଶ୍ୟକ ଭିତ୍ତିରେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କୋଭିଡ ରୋଗ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କ ବୃହତ୍ତର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଉଛନ୍ତି । ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡିକର ଭୂମିକା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଏହି ଅସ୍ଥାୟୀ ଶିବିର ଗୁଡିକ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ କରୋନା ପଜିଟିଭ କେସର ୯୫ପ୍ରତିଶତ କେବଳ ଏହି କ୍ୱାରେଣ୍ଟାଇନ କେନ୍ଦ୍ରରୁ ହିଁ ମିଳିଛି । ଏହା ଆମର ବ୍ୟବସ୍ଥାର ସୁଦୃଢତାକୁ ପ୍ରତିବାଦନ କରିବା ସହ ସରପଞ୍ଚ, ଲୋକପ୍ରତିନିଧି ଏବଂ ସରକାରଙ୍କ ବିଭିନ୍ନ ବିଭାଗର ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ନିଷ୍ଠା ଯୋଗୁଁ ସମ୍ଭବପର ହୋଇଛି । କରୋନା ଯୁଦ୍ଧରେ ନିଜର ସବୁକିଛି ତ୍ୟାଗ କରି ଦିନରାତିକୁ ଏକାକାର କରିଥିବା ଏହି ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ପ୍ରବାସୀଙ୍କ ପ୍ରସଂଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ଜିରୋ ୱାଲକିଙ୍ଗ୍ ଇନ୍ସାଇଡ୍ ଓଡିଶା ନୀତି କାର୍ଯ୍ୟକାରୀ କରିଛୁ । ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଇବାରେ ରାଜ୍ୟ ପୁଲିସର କର୍ମଦକ୍ଷତା ପ୍ରଶଂସଯୋଗ୍ୟ । ବର୍ତ୍ତମାନ ସୁଦ୍ଧା ୧୪୬୭୯ଜଣ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବସ୍ ଯୋଗେ ବର୍ଡର ଚେକପୋଷ୍ଟରେ ପହଞ୍ଚାଇ ଦିଆଯାଇଛି । କରୋନା ଏକ ଲମ୍ବା ଯୁଦ୍ଧ ହୋଇଥିବାରୁ ଏହାକୁ ଆମେ ସଫଳତାର ସହ ପରିଚାଳନା କରୁଛୁ । ଆମର ସଂଗରୋଧ କେନ୍ଦ୍ରଗୁଡିକରେ ଅନ୍ତେବାସୀଙ୍କ ପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ଆରମ୍ଭ ହୋଇଛି । ତାହା ଭବିଷ୍ୟତର ଆହ୍ୱାନକୁ ସଫଳ ଭାବରେ ମୁକାବିଲା ପାଇଁ ସାହାଯ୍ୟ କରିବ । ଇତି ମଧ୍ୟରେ ବିମାନ ଓ ରେଳ ସେବା ଆରମ୍ଭ ହୋଇଛି । ମାନବିକତାକୁ ଦୃଷ୍ଟିରେ ରଖି ବୃତ୍ତିଗତ ଦକ୍ଷତା ସହ ଆମେ ପରିସ୍ଥିତିର ମୁକାବିଲା କରୁଛୁ । କରୋନା ସଂକ୍ରମଣ ଭୟକୁ ଖାତିର ନକରି ଅମ୍ଫନ ବାତ୍ୟା ସମୟରେ ସାହାସିକତାର ସହିତ ଆମେ ଏହାକୁ ମୁକାବିଲା କଲୁ । ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ବାତ୍ୟାର ୨୪ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତାର ପୁର୍ନଉଦ୍ଧାର, ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରି ଆମ କର୍ମଚାରୀମାନେ ଦକ୍ଷତା ଦେଖାଇଛନ୍ତି । ସେମାନେ ସବୁବେଳେ ସରକାରଙ୍କୁ ସହଯୋଗ କରିଆସିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଏଣୁ ଓଡିଶାବାସୀଙ୍କ ତ୍ୟାଗ ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଓ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପଞ୍ଚାୟତ ୟୁନିଟ ଗୁଡିକର କ୍ୱାରେଣ୍ଟାଇନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଏନ୍ଆରଜିଏସ୍ରେ ବର୍ତ୍ତମାନ ଦିନକୁ ୧୦ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ୨୦ଲକ୍ଷକୁ ବୃଦ୍ଧି କରାଯିବ । ବର୍ତ୍ତମାନ ୧୭ଟି ଜିଲ୍ଲାରେ ୩.୮୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଯାହା ଗତବର୍ଷ ଠାରୁ ୪୦ ପ୍ରତିଶତ ଅଧିକ । ଚାଷୀମାନଙ୍କ ଆକାଉଣ୍ଟକୁ ଏବାବଦରେ ୫୨୧କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଏଣୁ ରାଜ୍ୟ ସରକାର କୋଭିଡ ପରିଚାଳନା, ବାତ୍ୟା ପରବର୍ତ୍ତୀ ପୁର୍ନଗଠନ, ରବି ଓ ଖରିଫ ଋତୁର ସୁପରିଚାଳନା ସକ୍ଷମ ହୋଇଛନ୍ତି ବୋଲି ସେ କହିଥିଲେ ।