ଭୁବନେଶ୍ୱର : ଲକଡାଉନ ସମୟରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଓଡିଶା ଦେଇ ଯାତାୟତ କରୁଥିବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିରୋ ୱାକିଂ ଓଡିଶା ପୋଲିସି ନୀତି କାର୍ଯ୍ୟକାରୀ ପୁଲିସ ଯେଉଁଭଳି ଭାବରେ କରିଥିଲା ତାହା ଅତ୍ୟନ୍ତ ପ୍ରଶଂସନୀୟ । ଉତ୍ତମ ସମନ୍ୱୟ ରଖି ମାନବୀୟ ସେବା ପୁଲିସ ଯୋଗାଇ ଦେଇଥିବାରୁ ଆମ ରାଜ୍ୟ ଆଜି ଦେଶରେ ପ୍ରଶଂସା ସାଉଁଟୁଛି । ଏଣୁ ଏଭଳି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶା ପୁଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତା ନିର୍ଦ୍ଦଶନ ଅନ୍ୟମାନଙ୍କ ପ୍ରେରଣା ଦେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ରେଞ୍ଜର, ଡିଆଇଜି, ଜିଲ୍ଲା ଡିସିପି ତଥା ପୁଲିସ ଅଧିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ । ଲକଡାଉନ ସମୟରେ ଓଡିଶା ପୁଲିସ ଉଚ୍ଚମାନର ସଂଜମତା ସହିତ ମର୍ଯ୍ୟଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ସେଥିପାଇଁ ଓଡିଶା ପୁଲିସ ବାହିନୀକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ଦେଇଥିଲେ । ବାତ୍ୟା ଅମ୍ଫନ ସମୟରେ ଆମର ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପଶ୍ଚିମବଙ୍ଗ ଯାଇ ରିଲିଫ ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ୱେ ସେମାନେ ସେଠାରେ ଯେଉଁ ସେବା ଯୋଗାଇ ଦେଲେ ତାହାର ପଟାନ୍ତର ନାହିଁ । ସେମାନଙ୍କର କାର୍ଯ୍ୟକୁ ଆଜି ସାରା ଦେଶ ପ୍ରଶଂସା କରୁଛି । ଏହା ସମସ୍ତଙ୍କ ପାଇଁ ଆସନ୍ତା ଦିନରେ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀମାନେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କରୋନା ଯୁଦ୍ଧ ଆମ ପାଇଁ ଶେଷ ହୋଇନାହିଁ । ଏଣୁ ଆମକୁ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । କେବଳ ସତର୍କ ହେଲେ ଚଳିବ ନାହିଁ । ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ କାମ କରିବାକୁ ପଡିବ । ଆସନ୍ତା ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ସେ ଆହ୍ୱାନ ଜଣାଇଥିଲେ । ଥାନା ମାନଙ୍କରେ ଜନସାଧାରଣମାନେ ଯେଭଳି ଉତ୍ତମ ସେବା ପାଇବେ ତାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ କର୍ମଚାରୀ ଥାନାରେ ମୁତୟନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରଖିଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଆମେ ଏକ ଅସ୍ୱାଭାବିକ ପରିସ୍ଥିତିରେ ଟିମ୍ ସ୍ପିରିଟ୍ ନେଇ କାମ କରୁଛୁ । ଏହି ଆହ୍ୱାନର ମୁକାବିଲା କ୍ଷେତ୍ରରେ ପୁଲିସ ସବୁଠାରୁ ଆଗରେ ରହି କାମ କରୁଛି । ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୁଲିସ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । ପୁଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍ପିମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପୁଲିସ ପ୍ରଶାସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଶ୍ରୀ ଅଭୟ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳାମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ୯୨୦୫ଜଣ ମହିଳାଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା । ଏଥିରେ ୫୩ଟି କେସ୍ର ଘରୋଇ ହିଂସାର ସୂଚନା ମିଳିଛି । ୮୦୦୨ଟି ସାମହିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ୱ ନିଆଯାଇଛି । ୫୪୨ଟି ଟ୍ରିପ୍ ଜରିଆରେ ସମୁଦାୟ ୨୪୫୮୭ ଆନ୍ତଃରାଜ୍ୟ ପ୍ରବାସୀ ପଥଚାରୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଛି । ମାସ୍କ ବ୍ୟବହାର ଉଲ୍ଲଂଘନରେ ୧କୋଟି ୨୫ଲକ୍ଷ ୮୪ହଜାର ୧୮୦ ଟଙ୍କା, ସାମାଜିକ ଦୂରତ୍ୱ ଉଲ୍ଲଂଘନରେ ୧ଲକ୍ଷ ୭୪ହଜାର ୩୫୦ ଟଙ୍କା, ସାପ୍ତାହିକ ଲକଡାଉନ ଉଲ୍ଲଂଘନରେ ୩ହଜାର ଟଙ୍କା, ରାତ୍ରୀକାଳୀନ କର୍ଫ୍ୟୁ ଉଲ୍ଲଂଘନ ପାଇଁ ୧ଲକ୍ଷ ୩ହଜାର ୮ଶହ ଟଙ୍କା ଆଦାୟ ହୋଇଛି । ଏହି ଅବସରରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି କହିଥିଲେ କୋଲକତା ଅପ୍ରେଲ ୨୫ ତାରିଖରେ ୩୭୨ଜଣ ଜବାନ ଯାଇ ୧୨ ଦିନ ଯାଏଁ କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି କୋଲକତାବାସୀ । ଭିଡିଓ କନଫରେନ୍ସିଂ ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ଲକଡାଉନର ନିୟମବଳିକୁ ପୁଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିଥିବାରୁ ତାହାକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଗୃହ ବିଭାଗର ପ୍ରମୁଖ ସଚିବ ସଂଜିବ ଚୋପ୍ରା ଉପସ୍ଥିତ ଥିଲେ ।