ପହଞ୍ଚିଲା ରାଫେଲ୍‌, ସ୍ୱାଗତ କଲା ଭାରତ

0 104

ଅମ୍ବାଲା : ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତରେ ପହଞ୍ଚିଛି ଦୁର୍ଦ୍ଧଷ ଲଢ଼ୁଆ ବିମାନ ରାଫେଲ୍‌ । ଫ୍ରାନ୍ସରୁ ପାଞ୍ଚୋଟି ରାଫେଲ୍‌ ବିମାନ ଆସି ଆଜି ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଅବତରଣ କରିଛି । ଏହାପରେ ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ସେଠାରେ ଏହି ଅପ୍ରତିଦ୍ୱନ୍ଦୀ ବିମାନ ରାଫେଲ୍‌କୁ ସ୍ୱାଗତ କରିଥିଲେ । ଆଜି ସକାଳେ ସଂଯୁକ୍ତ ଆରବ ଏମିରେଟ୍ସରୁ ଏହା ଯାତ୍ରା ଆରମ୍ଭ କରି ଅମ୍ବାଲାରେ ଏକ ସମୟରେ ପହଞ୍ଚିଥିଲା । ଅମ୍ବାଲାରେ ଅବତରଣ କରିବା ବେଳେ ସେଠାରେ ଅଭୁତପୂର୍ବ ବାତାବରଣ ଦେଖିବାକୁ ମିଳିଥିଲା । ରାଫେଲ୍‌ର ଏହି ପଦାର୍ପଣ ସହିତ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଆଜି ଅପରାହ୍ନରେ ଭାରତର ବାୟୁସୀମାରେ ପ୍ରବେଶ କରିବା ପରେ ପଶ୍ଚିମ ଆରବ ସାଗରରେ ମୂତୟନ ହୋଇଥିବା ନୌସେନାର ଯୁଦ୍ଧ ପୋତଗୁଡ଼ିକ ତରଫରୁ ପାଞ୍ଚୋଟି ରାଫେଲକୁ ସ୍ୱାଗତ କରାଯାଇଥିଲା । ରାଫେଲ୍‌ ଜେଟ୍‌ର ପାଇଲଟଙ୍କୁ ବେତାର ବାର୍ତ୍ତା ପ୍ରେରଣ କରି ଆଇଏନ୍‌ଏସ୍‌ କୋଲ୍‌କାତା କହିଥିଲା, ‘ସଗୌରବ ଆକାଶ ସ୍ପର୍ଶ କର । ଶୁଭାବତରଣ ।’ ଏହାର ପ୍ରତ୍ୟୁତ୍ତର ଦେଇ ରାଫେଲ୍‌ ପାଇଲଟ୍‌ କହିଥିଲେ, ‘ଭାରତୀୟ ନୌସେନା ଯୁଦ୍ଧପୋତ ପାଇଁ ଅନୁକୂଳ ପବନ ପ୍ରବାହ ହେଉ ।’ ଇତିମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ରାଫେଲକୁ ସ୍ୱାଗତ କରିଛନ୍ତି । ସେ ଲେଖିଛନ୍ତି, ପକ୍ଷୀମାନେ ଭାରତୀୟ ଆକାଶସୀମାରେ ପ୍ରବେଶ କରି ସାରିଲେଣି..ଶୁଭ ଅବତରଣ କାମନା କରୁଛି । ସୋମବାର ଦିନ ଏହି ପାଞ୍ଚଟି ଜେଟ୍‌ ଫ୍ରାନ୍ସରୁ ଉଡାଣ ଆରମ୍ଭ କରି ଗତକାଲି ସ୍ୱଳ୍ପ ସମୟ ଲାଗି ୟୁନାଇଟେଡ୍‌ ଆରବ ଏମିରେଟସରେ ରହିଥିଲା । ଏଥିପୂର୍ବରୁ ମଝିଆକାଶରେ ଏଥିରେ ଇନ୍ଧନ ଭର୍ତ୍ତି ହୋଇଥିଲା । ୩୬ଟି ରାଫେଲ୍‌ ଜେଟ୍‌ ଖର୍ଦ୍ଦି କରିବା ଲାଗି ଚାରିବର୍ଷ ତଳେ, ୨୦୧୬ ସେପ୍ଟେମ୍ବର ୨୩ ତାରିଖରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ୫୯୦୦୦ କୋଟି ଟଙ୍କାର ରାଜିନାମା ହୋଇଥିଲା ।
ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌ ଆର୍‌କେଏସ୍‌ ଭଦୌରିଆ ଅମ୍ବାଲାରେ ଏହି ପାଞ୍ଚଟି ବିମାନ ଗ୍ରହଣ କରିଛନ୍ତି ଏବଂ ରାଫେଲ୍‌ ଫାଇଟର ଜେଟ୍‌ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ଏଥିପାଇଁ ଧୁଲକୋଟ, ବଳଦେବ ନଗର, ଗର୍ଣ୍ଣାଲା ଏବଂ ପଞ୍ଚଖେରା ସମେତ ଅମ୍ବାଲା ବିମାନଘାଟି ଅଞ୍ଚଳକୁ ଲାଗିଥିବା ଗାଁମାନଙ୍କରେ ୧୪୪ ଧାରା ଜାରି କରାଯାଇଛି । ବିମାନଘାଟି ନିକଟରେ ବ୍ୟକ୍ତିଗତ ଡ୍‌ରୋନ୍‌ ଉଡାଇବା କିମ୍ବା ଫଟୋ ଓ ଭିଡିଓ ଉତ୍ତୋଳନ ନ କରିବାକୁ ସ୍ଥାନୀୟ ଲୋକମାନଙ୍କୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

20 − 3 =