ସୁଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଦକ୍ଷତା ବଢ଼ାଯାଇଛି

0 90

ନୂଆଦିଲ୍ଲୀ : ଭାରତରେ ଅନ୍ୟାନ୍ୟ ଦିଗ ଭଳି ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ବର୍ତ୍ତମାନର ସମୟରେ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ସରକାର ତାଙ୍କ ଦକ୍ଷତାର ସର୍ବାଧିକ ସଂପ୍ରସାରଣ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ଅଭିଭାଷଣରେ କରୋନା ମହାମାରୀରେ ଯେଉଁ ବ୍ୟକ୍ତିମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ଭାରତର କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରମ ସକାଶେ ସଭିଏଁ ପ୍ରଶଂସା କରିବା ଉଚିତ । “ସେବା ପରମୋ ଧର୍ମଃ” ଆପ୍ତ ବାକ୍ୟକୁ ସେମାନେ ନିଜ କର୍ମ ଓ ନିଷ୍ଠା ବଳରେ ପ୍ରତିପାଦିତ କରିପାରିଛନ୍ତି । ସମଗ୍ର ଦେଶକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀ କହିଲେ ଯେ “କରୋନା ବିରୋଧୀ ଲଢେଇରେ ଆମେ ନିଶ୍ଚୟ ବିଜୟ ଲାଭ କରିବୁ । ଆମର ଦୃଢ଼ ମନୋବଳ ଏହି ବିଜୟ ପଥରେ ସହାୟକ ହେବ ।”
“ଆତ୍ମନିର୍ଭର ଭାରତ” ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ଏବେ ଏହି ମନୋଭାବକୁ ନେଇ କୋଭିଡ-୧୯ ବିରୋଧରେ ସଂଗ୍ରାମ କରୁଛି ଏବଂ ଏହା ଆମକୁ ଅନେକାଂଶରେ ସଫଳତା ପ୍ରଦାନ କରିଛି । ଦେଶରେ ଏବେ ପିପିଇ କିଟ୍‌, ଏନ-୯୫ ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ପ୍ରସ୍ତୁତ କରାଯାଇପାରୁଛି ଯାହାକି ଘରୋଇ ଭାବେ ପୂର୍ବରୁ ଏତେ ଉତ୍ପାଦିତ ହେଉନଥିଲା । ଏହିସବୁ ସାମଗ୍ରୀର ଉତ୍ପାଦନ କ୍ଷମତା ବୃଦ୍ଧି “ସ୍ଥାନୀୟ ଉତ୍ପାଦନ ପାଇଁ ନାରା” କୁ ପ୍ରତିଧ୍ୱନିତ କରିଛି ।
ଲାଲକିଲ୍ଲାର ମଞ୍ଚ ଉପରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ଏବେ କୋଭିଡ ନମୁନା ପରୀକ୍ଷା କ୍ଷମତାରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରାଯାଇପାରିଛି । ଦେଶରେ ପୂର୍ବରୁ ଏହି ଧରଣର ପରୀକ୍ଷା ସକାଶେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ତାହା ଏବେ ୧୪୦୦ରୁ ଅଧିକ ହୋଇପାରିଛି ଏବଂ ସେସବୁ ଦେଶର ବିଭିନ୍ନ ସ୍ଥାନରେ ବିସ୍ତାରିତ ହୋଇ ରହିଛି । ପୂର୍ବରୁ ଦେଶରେ ଦୈନିକ ମାତ୍ର ୩୦୦ ନମୁନା ପରୀକ୍ଷା କରାଯାଉଥିବାବେଳେ ଏବେ ପ୍ରତି ଦିନ ୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି ।

hiranchal ad1
Leave A Reply

Your email address will not be published.

9 − one =