ପାଇଲଟଙ୍କୁ ଆଶ୍ୱସ୍ତି

0 82

ଜୟପୁର : ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ କଂଗ୍ରେସର ବିଦ୍ରୋହୀ ନେତା ସଚିନ୍ ପାଇଲଟ ଓ ଅନ୍ୟ ୧୮ଜଣ ବିଧାୟକଙ୍କୁ ଆଜି ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ବିଧାନସଭା ବାଚସ୍ପତି ସିପି ଜୋଷୀ ନୋଟିସ୍ ଜାରି କରିଥିଲେ । ତେବେ ବିଧାୟକମାନଙ୍କ ସଂପର୍କରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ ନକରିବା ଲାଗି ହାଇକୋର୍ଟ ଆଜି ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତା ଜୁଲାଇ ୨୪ ଶୁଣାଇବାକୁ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ ନେବାକୁ କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି । ପାଇଲଟ ଗୋଷ୍ଠୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ହରିଶ ସାଲଭେ ଯୁକ୍ତି ଉପସ୍ଥାପନ କରିଥିଲେ । ମୁକୁଲ ରୋହତଗୀ କହିଥିଲେ ଯେ ସରକାରର ନେତୃତ୍ୱ ପରିବର୍ତ୍ତନ କରିବା ସଚିନ ପାଇଲଟଙ୍କ ଉଦ୍ୟମ ଥିଲା, କିନ୍ତୁ ସରକାର ଭାଙ୍ଗିବା ପାଇଁ ସେ କୌଣସି ଉଦ୍ୟମ କରିନଥିଲେ । ଏଣୁ ଏଥିପାଇଁ ତାଙ୍କ ବିରୁଦ୍ଧରେ ଦଳ ବଦଳ ଆଇନ ଲାଗୁ ହେବ ନାହିଁ । ସେହିପରି ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ବାଚସ୍ପତି କେବଳ ବିଦ୍ରୋହୀ ବିଧ୍ୟାୟକମାନଙ୍କୁ ନୋଟିସ ପଠାଇଛନ୍ତି, ଅଯୋଗ୍ୟତା ସଂପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ସଚିନ ପାଇଲଟଙ୍କୁ ଗତ ସପ୍ତାହରେ କଂଗ୍ରେସ ହାଇକମାଣ୍ଡ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =