ଶତ୍ରୁର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି : ରାତ୍ରୀ ଉଡ଼ାଣ ଅଭ୍ୟାସ କରୁଛି ରାଫେଲ୍‌

0 677

ଲଦାଖ: ଲଦାଖ ସୀମାରେ ଚୀନ୍‌ର ଗତିବିଧି ଏବେବି ଜାରି ରହିଛି । କେତେକ ଘାଟିରୁ ଚୀନ୍‌ର ସୈନ୍ୟମାନେ ଏପର୍ଯ୍ୟନ୍ତ ହଟିନାହାଁନ୍ତି । ତେଣୁ ସୀମାରେ ପଇଁନ୍ତରା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଲାଗି ଭାରତ ତା\’ର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି । ଖୁବ୍‌ଶୀଘ୍ର ସୀମାରେ ଲଢ଼ୁଆ ବିମାନ ରାଫେଲ୍‌କୁ ମୁତୟନ କରାଯିବ । ତା\’ପୂର୍ବରୁ ଏହାର ଉଡ଼ାଣ ଅଭ୍ୟାସ ଆରମ୍ଭ ହୋଇଛି । ରାତିରେ ପାର୍ବତ୍ୟାଞ୍ଚଳରେ ଏହି ବିମାନ ଏଭଳି ଅଭ୍ୟାସ କରୁଛି । ଆଗକୁ ମଧ୍ୟ ଆଉ କିଛି ରାଉଣ୍ଡ ଉଡ଼ାଣ ହେବ ବୋଲି ବାୟୁସେନା ସୂତ୍ରରେ କୁହାଯାଇଛି ।
ଲଦାଖ ସେକ୍ଟର୍ ଅଞ୍ଚଳର ୧, ୫୯୭ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଯଦି ପରିସ୍ଥିତି ନ ସୁଧୁରେ ତେବେ, ଗୋଲ୍‌ଡେନ୍ ଆରୋ ସ୍କ୍ୱଡର୍ନରେ ସାମିଲ ହୋଇଥିବା ରାଫେଲ୍ ଆକାଶରୁ ଆକାଶକୁ ନିକ୍ଷେପ ହେଉଥିବା ମେଟୋର୍ ମିସାଇଲ୍ ଏବଂ ଆକାଶରୁ ଭୂପୃଷ୍ଠକୁ କ୍ଷେପଣ ହେଉଥିବା ସ୍କାଲ୍ପ ମିସାଇଲ୍ ସହ ସେଠାରେ ପ୍ରସ୍ତୁତ ହୋଇ ରହିବ ବୋଲି ବିଶେଷସୂତ୍ରରୁ ଜଣାପଡିଛି । ଜଣେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଅଧିକୃତ ଅକ୍ସାଇ ଚୀନ୍‌ରେ ପିପୁଲ୍ସ୍ ଲିବରେସନ୍ ଆର୍ମିର ରାଡାର୍ ରାଫେଲ୍ ଜେଟ୍‌ମାନଙ୍କର ଫ୍ରିକ୍‌ବେନ୍ସି ସିଗ୍‌ନେଚର୍ ଚିହ୍ନଟ କରି ଜାମ୍ କରିଦେବାର ସମ୍ଭାବନା ରହିଛି, ଏହି ଆଶଙ୍କାରେ ସେଗୁଡିକୁ ବାସ୍ତବ ନିୟନ୍ତ୍ରଣ ରେଖା ଠାରୁ ଦୂରରେ ରଖାଯାଇଛି ।
ଅଧିକୃତ ଅକ୍ସାଇ ଚୀନ୍‌ର ପର୍ବତ ଚୂଡାରେ ଚୀନ୍‌ର ପିପୁଲସ୍ ଲିବରେସନ୍ ଆର୍ମି ସେମାନଙ୍କର ଇଲେକ୍‌ଟ୍ରୋନିକ୍ ଇଣ୍ଟେଲିଜେନ୍ସ୍ ରାଡାର୍ ସ୍ଥାପନ କରିଥିଲେ ବି ରାଫେଲ୍‌ର ଯୁଦ୍ଧକାଳୀନ ସିଗ୍‌ନେଚର୍ ମୋଡ୍ ସମରାଭ୍ୟାସରେ ଚାଲିଥିବା ମୋଡ୍ ଠାରୁ ଭିନ୍ନ ହେବ । ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାକୁ ଧ୍ୟାନରେ ରଖି ନିର୍ମାଣ ହୋଇଥିବାରୁ ‘ପିଏଲ୍‌ଏ’ର ବିମାନ ଠାବକାରୀ ରାଡାର୍ ସବୁ ଖୁବ୍ ଉଚ୍ଚମାନର ବୋଲି ଜଣାପଡିଛି । ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଚାଲିଥିଲେ ବି ଭାରତର ତିନି ସେନା ପଶ୍ଚିମ ସେକ୍ଟର୍‌, ବାସ୍ତବ ନିୟନ୍ତ୍ରଣ ରେଖାର ବାକି ଅଂଶ ଏବଂ ସମୁଦ୍ର ଉପରେ ଦୃଷ୍ଟି ରଖିଛି ।

hiranchal ad1
Leave A Reply

Your email address will not be published.

three × two =