ଚଳିତ ବର୍ଷ ମହିଳା ଆଇପିଏଲ୍‌ ହେବା ସମ୍ଭାବନା

0 95

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଭାଗରେ ପୁରୁଷ ଆଇପିଏଲ୍‌ ଖେଳାଯିବା ଚୂଡ଼ାନ୍ତ ହୋଇସାରିଛି । ଏଥର ଭାରତରେ ନହୋଇ ଏହା ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଏହି ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ମଧ୍ୟ ବିଚାର ଆଲୋଚନା ଅରମ୍ଭ ହୋଇଯାଇଛି । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ମହିଳା ଆଇପିଏଲ୍‌ ବା ମହିଳା ଚ୍ୟାଲେଞ୍ଜର ସିରିଜ୍‌ ଖେଳାଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ରବିବାର କହିଛନ୍ତି ଯେ, ମହିଳା ଆଇପିଏଲ୍‌ ଆୟୋଜନ ଯୋଜନା ରହିଛି । କିନ୍ତୁ କେବେ ଖେଳାଯିବ ତାହା ଚୂଡ଼ାନ୍ତ ହୋଇନାହିଁ । ତେଣୁ ଚଳିତ ବର୍ଷ ମହିଳା ଆଇପିଏଲ୍‌ ଖେଳାଯିବା ନେଇ ଯେଉଁ ସନ୍ଦେହ ଓ କଳ୍ପନାଜଳ୍ପନା ଲାଗି ରହିଥିଲା ଏବେ ତାହାର ଅନ୍ତଃ ଘଟିଛି । ପୁରୁଷ ଆଇପିଏଲ୍‌ ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ତେବେ ଫାଇନାଲ୍‌ ମ୍ୟାଚ୍‌ କେବେ ହେବ ତାହା ସ୍ଥିର ହୋଇନାହିଁ । ଫାଇନାଲ୍‌ ପ୍ରତିଯୋଗିତା ନଭେମ୍ବର ୮ କିମ୍ବା ୧୦ରେ ହୋଇପାରେ । ପୁରୁଷ ଆଇପିଏଲ୍‌ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ସମୟରେ ହିଁ ମହିଳା ଆଇପିଏଲ୍‌ ଆୟୋଜନ ହୋଇପାରେ ବୋଲି ସୂଚନା ମିଳିଛି । ଅର୍ଥାତ୍‌ ଏଥର ହରମନପ୍ରୀତ କୌର ଓ ତାଙ୍କ ଟିମ୍‌ ଆଇପିଏଲ୍‌ ଖେଳିବାର ସୁଯୋଗ ପାଇବେ । ବିସିସିଆଇର ଏକ ସୂତ୍ର ଅନୁଯାୟୀ ମହିଳା ଆଇପିଏଲ୍‌ ନଭେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ହୋଇପାରେ । ତା’ପୂର୍ବରୁ ଖେଳାଳିଙ୍କ ପାଇଁ ଅଭ୍ୟାସ ଶିବିର ଆୟୋଜନ କରାଯିବ ।

hiranchal ad1
Leave A Reply

Your email address will not be published.

2 × 3 =