ସିଡ୍ନୀ : ଚଳିତ ବର୍ଷ ଶେଷ ଭାଗରେ ଭାରତ ଅଷ୍ଟ୍ରେଲିଆ ମାଟିରେ ୪ଟି ଟେଷ୍ଟ୍ ସିରିଜ୍ ଖେଳିବ । ଏହି ଗସ୍ତରେ ଭାରତ ତିନିଟି ଲେଖାଏଁ ଦିନିକିଆ ଓ ଟି- ୨୦ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ସିରିଜ୍ କରୋନା ପରବର୍ତ୍ତୀ କ୍ରିକେଟ୍ର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ହେବ । ଦର୍ଶକୀୟ ଆଦ୍ରୁତି ସହ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଏହି ସିରିଜ୍ କ୍ରିକେଟ୍ ଅଷ୍ଟ୍ରେଲିଆ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ଗତ ୨୦୧୮-୧୯ ସିଜନ୍ରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍ ସିରିଜ୍ ଜିତିବାର ଗୌରବ ହାସଲ କରିଥିଲା । ତେଣୁ ଚଳିତ ବର୍ଷ ଘରୋଇ ଅଷ୍ଟ୍ରେଲିଆ ଏହି ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଭାରତୀୟ ଦଳ ମଧ୍ୟ କଡ଼ା ଟକ୍କର ଦେବା ସ୍ଥିତିରେ ରହିଛି । ତେଣୁ ଏହି ସିରିଜ୍ ସମସ୍ତଙ୍କ ପାଇଁ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ସ୍ପିଡ୍ଷ୍ଟର୍ ବ୍ରେଟ୍ ଲି’ ମଧ୍ୟ ସମାନ ମତ ପୋଷଣ କରନ୍ତି । ଏପରିକି ଏହି ବର୍ଡର୍- ଗାଭାସ୍କର ଟ୍ରଫି କୌଣସି ଗୁଣରେ ଐତିହାସିକ ଆଶେସ୍ ସିରିଜ୍ଠାରୁ କମ୍ ନୁହେଁ ବୋଲି ଲି’ କହିଛନ୍ତି । ଏକ ଇଂରାଜୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଲି’ କହିଛନ୍ତି ଯେ ଅଦ୍ୟାବଧି ଯେତେବେଳେ ବି ଉଭୟ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମୁକାବିଲା ହୋଇଛି, ସବୁବେଳେ କିଛି ନା କିଛି ସ୍ୱତନ୍ତ୍ର ଅନୁଭୂତି ମିଳିଛି । ତେଣୁ ଏହି ସିରିଜ୍ ଆଶେସ୍ ସମକକ୍ଷ ବୋଲି ଲି’ କହିଛନ୍ତି । ସେହିପରି କରୋନା ସଂକ୍ରମଣ କାରଣରୁ ଘରେ ବନ୍ଦ ଥିବା ଦର୍ଶକମାନେ ଦୁଇଟି ଶକ୍ତିଶାଳୀ ଦେଶକୁ ଲଢ଼ୁଥିବାର ଟିଭିରେ ଦେଖିବାର ସୁଯୋଗ ପାଇବେ । ଏହା ଦର୍ଶକଙ୍କ ସହ ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି । କରୋନା କାରଣରୁ ମାନବ ସମାଜ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ ସେମାନଙ୍କ ମୁହଁରେ ହସ ଫୁଟାଇପାରିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ରେ ୭୧୮ଟି ୱିକେଟ୍ ନେଇଥିବା ଲି’ କହିଛନ୍ତି । ସେହିପରି କ୍ରିକେଟ୍ରେ ବର୍ଣ୍ଣବୈଷମ୍ୟ ବିବାଦ ପରି ହୀନ ଭାବନାକୁ ଆଦୌ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ । ତେଣୁ ଅନ୍ତର୍ଜାତୀୟ ସ୍ତରରେ ଖେଳାଳିମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି ବୋଲି ଲି’ କହିଛନ୍ତି ।