୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର

0 78

ପୁରୀ : ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ଓ ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ସହ କୋଭିଡ ଆରଟିପିସିଆର ରିପୋର୍ଟ କିମ୍ବା ୨ଟି ଡୋଜ ଟିକା ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସର୍ବସାଧାରଣ ଭକ୍ତଙ୍କ ପାଇଁ ୯୬ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇ ଦର୍ଶନ କରିବେ । ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ମାନଙ୍କର ହାତ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ । ଶ୍ରୀମନ୍ଦିରକୁ କୋଭିଡ ମୁକ୍ତ କରିବା ପାଇଁ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପୁଣିଥରେ କୋଭିଡ ଟେଷ୍ଟ କରାଯିବ । ଏହି ରିପୋର୍ଟ ଆଧାରରେ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶର ସୁଯୋଗ ଦିଆଯିବ । ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁକରଣ କରାଯିବ । ଭକ୍ତ ମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ । ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ । ଭକ୍ତଙ୍କୁ ଯାଞ୍ଚ କରିବା ପାଇଁ କିଓସ୍କୋ ବ୍ୟବସ୍ଥା କରାଯାଇ ଶ୍ରୀମନ୍ଦିରକୁ ପ୍ରବେଶର ସୁଯୋଗ ଦିଆଯିବ । ଏହି ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏସମସ୍ତ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ସିଡିଏମଓ ଓ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − 6 =