ଦୀର୍ଘ ୧୪ ବର୍ଷ ପରେ ମନର କ୍ଷୋଭ କଥା କହିଲେ ଗାଙ୍ଗୁଲି

0 106

କୋଲକାତା: ୨୦୦୭ରେ ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ଦୁଃଖଦ ଅନୁଭୂତି ପାଇଥିଲେ । ସେହିବର୍ଷ ବିପୁଳ ସ୍କୋର କରିଥିଲେ ମଧ୍ୟ ସେ ଜାତୀୟ ଦିନିକିଆ ଦଳରୁ ବାଦ୍ ପଡ଼ିଥିଲେ । କାହିଁକି ବାଦ୍ ପଡ଼ିଥିଲେ ତାହା ମଧ୍ୟ ବୁଝିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ଏକ ସାକ୍ଷାତକାର ଅବସରରେ ଗାଙ୍ଗୁଲି ନିଜ ମନ ଭିତରର କ୍ଷୋଭ ଏଭଳି ଭାବରେ ପ୍ରକାଶ କରିଛନ୍ତି । ଭାରତୀୟ କ୍ରିକେଟର ଏହି ସଫଳ ଅଧିନାୟକ ଓ ବ୍ୟାଟ୍ସମ୍ୟାନ୍ ଭାରତକୁ ଏକାଧିକ ମ୍ୟାଚ୍ରେ ବିଜୟ ଦେଇଛନ୍ତି । ୨୦୦୩ ବିଶ୍ୱକପ୍ରେ ଭାରତକୁ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ବିଶେଷ ଅବଦାନ ରହିଥିଲା । ଏହାବାଦ୍ ତାଙ୍କ ନାମରେ ଆହୁରି ବହୁତ ରେକଡର଼୍ ମଧ୍ୟ ରହିଛି । କିନ୍ତୁ ସେହି ବର୍ଷ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ ମଧ୍ୟ ଦିନିକିଆ ଦଳରୁ ତାଙ୍କୁ କାହିଁକି ବାଦ୍ ଦିଆଗଲା ତାହାକୁ ସେ ଏବେବି ବୁଝିପାରୁ ନାହାନ୍ତି । ସେତେବେଳେ ଗ୍ରେଗ୍ ଚାପେଲଙ୍କ ଯୁଗ ଚାଲିଥିଲା । ଅଧିନାୟକତ୍ୱ ଦାୟିତ୍ୱରୁ ତାଙ୍କୁ ଅଚାନକ ହଟାଇ ଦିଆଯାଇଥିଲା । ୨୦୦୫ରେ ଏହି ଘଟଣା ଘଟିଥିଲା । ୨୦୦୬ ଦକ୍ଷିଣ ଆଫ୍ରିକା ସିରିଜ୍ରେ ଗାଙ୍ଗୁଲି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ, ଏବଂ ତା’ପରଠୁ ଅଧିକାଂଶ ମ୍ୟାଚ୍ ବିପୁଳ ସ୍କୋର କରିଥିଲେ । ତେବେ ୨୦୦୭-୦୮ ବର୍ଷରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯେତେବେଳେ ଦଳ ଚୟନ କରାଗଲା ସେହି ସମୟରେ ତାଙ୍କୁ ଉପେକ୍ଷା କରାଯାଇଥିଲା । ତାଙ୍କ ସହିତ ରାହୁଲ ଦ୍ରାବିଡ଼ ମଧ୍ୟ ବାଦ୍ ପଡ଼ିଥିଲେ । ତାଙ୍କ କ୍ୟାରିୟରରେ ତାଙ୍କ ପାଇଁ ଏହା ସବୁଠୁ ଏକ ଯନ୍ତ୍ରଣାଦାୟକ ସମୟ ଥିଲା । ଗାଙ୍ଗୁଲି କହିଛନ୍ତି ଯେ, ଯେଉଁ ଲୋକ ବିପୁଳ ସ୍କୋର କରିପାରୁଛି ଏବଂ ଭାରତକୁ ଗୌରବ ଦେଇପାରୁଛି, ସେହିଭଳି ବ୍ୟକ୍ତିଙ୍କୁ କିଭଳି ଭାବରେ ଟିମ୍ରୁ ବାଦ୍ କରାଯାଇପାରିଲା? ଏହାହିଁ ସବୁଠୁ ବଡ଼ ବିସ୍ମୟ ଓ ରହସ୍ୟର ବିଷୟ । ଏକ ବଙ୍ଗାଳୀ ଦୈନିକକୁ ସାକ୍ଷାତକାର ଅବସରରେ ସେ ଏହି ଚାଞ୍ଚଲ୍ୟକର ତଥା ପ୍ରକାଶ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୦୭ ଏବଂ ତା ପରବର୍ତ୍ତୀ ସମୟରେ ଗାଙ୍ଗୁଲିଙ୍କର ପ୍ରଦର୍ଶନ ଅପେକ୍ଷାକୃତ ଅଧିକ ଦର୍ଶନୀୟ ଥିଲା । ଚାପେଲ୍ ସେତେବେଳେ ଭାରତୀୟ କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ସମ୍ଭବତଃ ଚାପେଲଙ୍କ କୂଟନୀତି ଯୋଗୁଁ ତାଙ୍କୁ ଏଭଳି ଏକ ଅନୁଭୂତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ବୋଲି ଗାଙ୍ଗୁଲି ଏବେବି ଅନୁଭବ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 11 =