ନିଜ ଟିମ୍‌କୁ ନେଇ ଭୀଷଣ କ୍ଷୁବ୍ଧ ଧୋନି : ଜାହାଜରେ ଅନେକ ଛିଦ୍ର ରହିଛି

0 85

ଦୁବାଇ, ୧୧/୧୦ : ନିଜ ଦଳ ଚେନ୍ନାଇ ସୁପରକିଙ୍ଗସ୍‌ର ପ୍ରଦର୍ଶନକୁ ନେଇ ସ୍କିପର ମହେନ୍ଦ୍ର ସିଂ ଧୋନି ଭୀଷଣ କ୍ଷୁବ୍ଧ ଓ ବିଚଳିତ । ବିଶେଷ କରି ବ୍ୟାଟ୍ସମ୍ୟାନ୍‌ମାନଙ୍କ ପ୍ରଦର୍ଶନ ତାଙ୍କୁ ଗଭୀର ଆଘାତ ଦେଇଛି । ଦଳର ପ୍ରଦର୍ଶନ ଉପରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି ଯେ, ଜାହାଜ (ଟିମ୍‌)ରେ ଅନେକ ଛିଦ୍ର ରହିଛି । ଗୋଟାକୁ ସଜାଡ଼ିଲା ବେଳକୁ ଆଉ ଗୋଟିଏ ଛିଦ୍ର ହୋଇଯାଉଛି । ତେଣୁ କେତେ ସଜାଡ଼ିବ । ବିଶେଷ କରି ବ୍ୟାଟିଂ ବିଭାଗ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି । ଖେଳାଳିମାନେ କାହିଁକି ଏଭଳି ପ୍ରଦର୍ଶନ କରୁଛନ୍ତି ସେ ନିଜେବି ବୁଝିପାରୁ ନାହାଁନ୍ତି । ଯେଉଁ ଦଳ ଅତୀତରେ ସମସ୍ତଙ୍କୁ ଚକ୍କିତ କରିଆସୁଥିଲା, ସେହି ଦଳ ଏବେ ଗୋଟିଏ ପରେ ଗୋଟିଏ ଶକ୍ତ ଆଘାତ ପାଇଚାଲିଛି । କୌଣସି ବିଭାଗ ଠିକ୍ ଭାବରେ କାମ କରୁନାହିଁ । ଖେଳାଳିମାନଙ୍କ ମସ୍ତିଷ୍କରେ କ\’ଣ ଅଛି ତାହା ଜାଣିବା ମୁସ୍କିଲ୍ ବୋଲି ସେ କହିଥିଲେ । ଧୋନି କିଛି ବ୍ୟାଟ୍ସମ୍ୟାନ୍‌ମାନଙ୍କ ପ୍ରଦର୍ଶନକୁ ଦେଖି ଭୀଷଣ ମର୍ମାହତ ଓ ଅସନ୍ତୁଷ୍ଟ ଅଛନ୍ତି । ଯଦି ଏଭଳି ଲାଗିରୁହେ, ତେବେ ତାହା ଅତ୍ୟନ୍ତ ଲଜ୍ଜାଜନକ ହେବ । ଜାହାଜରେ ଏତେ ଛିଦ୍ର ଅଛି ଯେ, ଗୋଟାକୁ ବନ୍ଦ କଲା ବେଳକୁ ଆଉ ଗୋଟେ ପଟୁ ପାଣି ଭୟଙ୍କର ଭାବେ ପ୍ରବାହିତ ହେଉଛି । ସମସ୍ତେ ଏକଜୁଟ ହୋଇ ସକରାତ୍ମକ ଢଙ୍ଗରେ କାମ ନକଲେ ବିପଦ ହିଁ ବିପଦ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲ ମୁକାବିଲାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୩୭ ରନ୍‌ରେ ଏମ୍‌ଏସ୍ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସକୁ ହରାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୫ତମ ଲିଗ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ୪ ୱିକେଟରେ ୧୬୯ ରନ୍ କରିଥିଲା । ଜବାବରେ ସୁପର କିଙ୍ଗ୍‌ସ ସମାନ ସଂଖ୍ୟକ ଓଭର ଖେଳି ୮ ୱିକେଟରେ ୧୩୨ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଅମ୍ବତି ରାୟୁଡୁ ସର୍ବାଧିକ ୪୨ ରନ୍ କରିଥିଲେ । ୧୦ ରନ୍ କରିଥିବା ଧୋନି ଟି-୨୦ରେ ୩୦୦ ଛକା ମାରିବାର ରେକର୍ଡ କରିଛନ୍ତି । ଚାଲେଞ୍ଜର୍ସ ପକ୍ଷରୁ ମୋରିସ୍ ୩ ଓ ୱାଶିଂଟନ ସୁନ୍ଦର ୨ଟି ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚ୍ ଜିତିବା ପରେ ଚାଲେଞ୍ଜର୍ସ ୬ଟି ମୁକାବିଲାରୁ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବଲର ଚତୁର୍ଥ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ୭ମ ମୁକାବିଲାରୁ ସୁପର କିଙ୍ଗ୍‌ସ ୫ମ ପରାଜୟ ବରଣ କରିଛି ।

hiranchal ad1
Leave A Reply

Your email address will not be published.

15 − one =