ଶ୍ରେଷ୍ଠ ଆଇପିଏଲ ହିଟର ତାଲିକାରେ କ୍ୟୁମିନ୍ସ

0 91

ମୁମ୍ବାଇ : ଗତକାଲି ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକତା ନାଇଟ ରାଇଡର୍ସ ମ୍ୟାଚ୍ କେତେକ ଦିଗରୁ ସ୍ମରଣୀୟ ଓ ଆକର୍ଷଣୀୟ ଥିଲା । କୋଲକତା ମ୍ୟାଚରେ ୧୮ ରନରେ ପରାସ୍ତ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସିଥିବା ଦଳର ପ୍ୟାଟ୍ କ୍ୟୁମିନ୍ସଙ୍କ ଅବିଶ୍ୱସନୀୟ ଧୁଆଁଧାର ବ୍ୟାଟିଂ ଏହି ମ୍ୟାଚକୁ ଅଧିକ ସ୍ମରଣୀୟ ଓ ସ୍ୱତନ୍ତ୍ର କରିଛି । କୋଲକତା ମ୍ୟାଚ୍ ହାରିଥିଲେ ମଧ୍ୟ ଶେଷ ଭାଗରେ ଯେଭଳି ସଂଘର୍ଷ କଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ବିଶେଷତଃ କ୍ୟୁମିନ୍ସଙ୍କ ଭୟଙ୍କର ପ୍ରହାର ଚେନ୍ନାଇର ବୋଲରମାନଙ୍କର ଝାଳ ବୋହାଇ ଦେଇଥିଲା । କ୍ୟୁମିନ୍ସ ଦଳକୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବ୍ୟର୍ଥ ହୋଇଥିଲେ ମଧ୍ୟ ଏକ ରେକର୍ଡର ଅଧିକାରୀ କିନ୍ତୁ ହୋଇପାରିଛନ୍ତି । ଆଇପିଏଲର ଶ୍ରେଷ୍ଠ ହିଟର ତାଲିକାରେ ତାଙ୍କ ନାମ ଯୋଡି ହୋଇଯାଇଛି । ଚାରୋଟି ଚୌକା ଓ ୬ଟି ଛକା ସହ ସେ ୩୪ଟି ବଲରେ ଅପରାଜିତ ୬୬ ରନ ସଂଗ୍ରହ କରିଥିଲେ । ଯାହା ତାଙ୍କର ଆଇପିଏଲ କ୍ୟାରିଅରର ଶ୍ରେଷ୍ଠ ଇନିଂସ ବୋଲି କୁହାଯାଉଛି । ଏହି ତାଲିକାରେ ପୂର୍ବରୁ ଅନ୍ୟ ଯେଉଁମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ସୁରେଶ ରାଇନା, କ୍ରିସ୍ ଗେଲ, ବିରେନ୍ଦ୍ର ସେହ୍ୱାଗ, ସନ ମାର୍ଶ ଓ ରାହୁଲ ତେବତିଆ ଅନ୍ୟତମ । ଏବେ ଏମାନଙ୍କ ସହ କ୍ୟୁମିନ୍ସ ସାମିଲ ହୋଇଛନ୍ତି । ଗୋଟିଏ ଓଭରରେ ୩୦ କିମ୍ବା ତା\’ଠୁ ଅଧିକା ରନ୍ କରିବାରେ ଏହି କ୍ରିକେଟରମାନଙ୍କର ସକ୍ଷମତା ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଗତକାଲି କ୍ୟୁମିନ୍ସ ଏହିଭଳି ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଚେନ୍ନାଇର ସାମ କୁରନଙ୍କ ଏକ ଓଭରରେ କ୍ୟୁମିନ୍ସ ୪ଟି ଛକା ସହ ୩୦ ରନ ସଂଗ୍ରହ କରିଥିଲେ । ଚେନ୍ନାଇ ବିପକ୍ଷ ମ୍ୟାଚରେ କ୍ୟୁମିନ୍ସଙ୍କ ଧୁଆଁଧାର ବ୍ୟାଟିଂ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

4 × 4 =