ବୌଦ୍ଧ : ସବୁଠି ଜଳ ସଙ୍କଟ, ପଦାରେ ପଡିଛି ଜଳ ପରିମଳ ବିଭାଗର ଦୁର୍ନୀତି

0 833

ବୌଦ୍ଧ,୧୭/୫ – ଜିଲ୍ଲାରେ କରୋନା ପରିସ୍ଥିତି ସହିତ ତାଳ ଦେଇ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି l ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ବର୍ତ୍ତମାନ ପ୍ରବଳ ଜଳ କଷ୍ଟ ଭୋଗ କରୁଛନ୍ତି | ପିଇବା ଓ ରୋଷେଇ ପାଇଁ ଜଳ ସଂଗ୍ରହ କରିବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଯାଇଛି l ଜିଲ୍ଲା ପାନୀୟ ଜଳ ଓ ପରିମଳ ବିଭାଗ କୋଟି କୋଟି ଟଙ୍କା ବ୍ୟୟରେ ଅନେକ ଓଭର ହେଡ ଟାଙ୍କି ନିର୍ମାଣ କରି ପାଇପ ଲାଇନ୍ ବିଛାଇ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଦେଇଛି କିନ୍ତୁ ବାସ୍ତବରେ ସବୁ ଅଚଳ l ନିର୍ମାଣ ହେବା ଦିନ ଠାରୁ ଅନେକ ପ୍ରକଳ୍ପରେ ପାଣି ଆସୁନାହିଁ l ପୁନର୍ବାର ତାକୁ ମରାମତି କରାଯାଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍ କରାଯାଉଥିବା ଅଭିଯୋଗ ହେଉଛି | ମରାମତି ପରେ ମଧ୍ୟ ପାଣି ଆସୁନାହିଁ l ନିର୍ଦ୍ଦିଷ୍ଟ କିଛି ଠିକାଦାର ଜରିଆରେ ପ୍ରକଳ୍ପ ନିର୍ମାଣ ଓ ମରାମତି କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି | ନିମ୍ନମାନର ନିର୍ମାଣ, ଅଚଳ ମୋଟର ଓ ଶସ୍ତା ପାଇପ ବିଛାଇ ଠିକାଦାର ବିଲ୍ ନେଇ ଠିକାଦାର ଓ ପି. ସି. ନେଇ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହୀଯନ୍ତ୍ରୀ ଯାଏଁ ମାଲାମାଲ୍ ହେଉଥିବା ବେଳେ ପାଣି ନପାଇ ସାଧାରଣ ଲୋକଙ୍କ ଅବସ୍ଥା ବେହାଲ୍ ହୋଇଯାଉଛି l ଗତ ତିନି ବର୍ଷ ମଧ୍ୟରେ କାଗଜ ପତ୍ରରେ ଏପଟ ସେପଟ କରି କିଛି ମୁଷ୍ଟିମେୟ ଠିକାଦାରଙ୍କୁ କୋଟି କୋଟି ଟଙ୍କାର କାମ ଦିଆଯାଇଛି ବୋଲି ଅଭିଯୋଗ ହୁଏ | ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର କେତେକ ଅସାଧୁ କର୍ମଚାରୀ ମାନଙ୍କ ଜରିଆରେ ସମ୍ପୃକ୍ତ ଠିକାଦାର ମାନେ ହିଁ କାମ ପାଉଥିବା ଶୁଣିବାକୁ ମିଳେ l ବିଗତ 3 ବର୍ଷ ମଧ୍ୟରେ ଏ ବିଭାଗରେ ଯେଉଁ ଯେଉଁ ନୂତନ ପ୍ରକଳ୍ପ ନିର୍ମାଣ ହୋଇଛି ଓ ମରାମତି କରା ଯାଇଛି ସେ ସବୁ କାର୍ଯ୍ୟର ଗୁଣବତ୍ତା ଓ ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପର୍କରେ ଭିଜିଲାନସ୍ ତଦନ୍ତ କରାଗଲେ ସବୁ ଦୁର୍ନୀତିର ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି l ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି |

hiring
hiranchal ad1
Leave A Reply

Your email address will not be published.

three × five =