କୋଭିଡ ପରିଚାଳନା କାର୍ଯ୍ୟରେ ତୃତୀୟଲିଙ୍ଗୀଙ୍କୁ ମିଳିଲା ନିଯୁକ୍ତି

0 87

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶେଷକରି ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଛି । ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ନୂତନ କୋଭିଡ କେୟାର କେନ୍ଦ୍ର ଖୋଲିବାକୁ ଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ କହିଛନ୍ତି । ଏହି କ୍ରମରେ ରାଉରକେଲା ସହରରେ କାର୍ଯ୍ୟ କରୁଥିବା ବିଭିନ୍ନ କୋଭିଡ-୧୯ ସଂମ୍ପର୍କିତ କାର୍ଯ୍ୟରେ ୭ ଜଣ ତୃତୀୟଲିଙ୍ଗିଙ୍କୁ ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଗତ କିଛି ଦିନ ଧରି ଲକଡାଉନ ଓ ସଟଡାଉନ ଆଦି ସମସ୍ୟା ଯୋଗୁଁ ତୃତୀୟଲିଙ୍ଗିମାନଙ୍କ ଜୀବନ ଜୀବିକା ସମସ୍ୟା ଥିବାରୁ ସୁନ୍ଦରଗଡ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସେମାନଙ୍କୁ କୌଣସି ନିଯୁକ୍ତି ଦେବା ନିମନ୍ତେ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲାପାଳ ତଥା ଜିଲ୍ଲା କୋଭିଡ ପରିଚାଳନା ବ୍ୟବସ୍ଥାର ଅଧକ୍ଷ ନିଖିଲ ପୱନ କଲ୍ୟାଣଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ୭ ଜଣ ତୃତୀୟଲିଙ୍ଗି ବା କିନ୍ନରଙ୍କୁ ନିଯୁକ୍ତି ଦେଇଛନ୍ତି । ସହରର ଛେଣ୍ଡ ବାଗବୁଡିରେ ଥିବା କୋଭିଡ-୧୯ ପଞ୍ଜିକରଣ କେନ୍ଦ୍ରରେ ୨ ଜଣ ଓ ବିପିୟୁଟି ପରିସରରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣଙ୍କୁ ନିଯୁକ୍ତି ମିଳିଛି । ଏହି ୭ ଜଣଙ୍କୁ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ବେତନ ପ୍ରଦାନ କରାଯିବ ଓ ଏ ସମସ୍ତଙ୍କ ନିଯୁକ୍ତି ଆଉଟସୋର୍ସିଂ ବ୍ୟବସ୍ଥାରେ ହୋଇଛି । ସୁନ୍ଦରଗଡ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବାର ୨ ଦିନ ମଧ୍ୟରେ ୭ ଜଣଙ୍କୁ ନିଯୁକ୍ତି ଦିଆଯିବା ଏକ ସକାରତ୍ମକ ପଦକ୍ଷେପ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ କିନ୍ନର ସଂଘର ଅଧ୍ୟକ୍ଷ ଜୋୟା ତ୍ରିପାଠୀ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − 9 =