ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ ହେବ ଜିଲ୍ଲା ସଂଗ୍ରହାଳୟ

0 1,020

ବୌଦ୍ଧ,୭/୧୨ – ଆସନ୍ତା ଜାନୁଆରି 2 ତାରିଖରେ ଜିଲ୍ଲା ଗଠନ ଦିବସ ଅବସରରେ ବୌଦ୍ଧ ରାଜା ନାରାୟଣ ପ୍ରସାଦ ଦେବଙ୍କ ଦ୍ବାରା 1921 ମସିହାରେ ନିର୍ମିତ କଚେରୀ କୋଠା ଜିଲ୍ଲା ସଂଗ୍ରହାଳୟ ଭାବରେ ଉଦଘାଟିତ ହେବ | ଆଜି ଅପରାହ୍ନ 5 ଘଣ୍ଟା ସମୟରେ ଏ ସମ୍ପର୍କରେ ଆଲୋଚନା ପାଇଁ ବୌଦ୍ଧ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ସଂଗ୍ରହାଳୟ ପାଇଁ ପ୍ରାଚୀନ ଐତିହ୍ୟ,ସଂସ୍କୃତି ଓ କିର୍ତ୍ତିରାଜୀ ସମ୍ପର୍କିତ ଜିନିଷ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଠାରୁ ସଂଗ୍ରହ କରାଯିବାକୁ ନିଷ୍ପତି ନିଆ ଯାଇଥିଲା l ବୈଠକରେ ଜିଲ୍ଲା ଓକିଲ ସଂଘ, ସିଭିଲ୍ ଏଣ୍ଡ କ୍ରିମିନାଲ୍ ବାର, ଜିଲ୍ଲା ସାମ୍ବାଦିକ ସଂଘ, ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ, ପ୍ରେସ୍ କ୍ଲବ୍ ଆଦିର ପ୍ରତିନିଧି ମାନଙ୍କ ସମେତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍, ଐତିହ୍ୟ ଓ ସଂସ୍କୃତି ଗବେଷକ ମାନେ ଯୋଗ ଦେଇଥିଲେ | ବିଧାୟକ ଶ୍ରୀ ଅମାତ୍ ଜିଲ୍ଲା ସଂଗ୍ରହାଳୟ ପାଇଁ ପ୍ରଶାସନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଜିଲା ସମାଜ ମଙ୍ଗଳ ଅଧିକାରୀ,ହୀରାଞ୍ଚଳ ର ସମ୍ପାଦକ ଯୁଗଳ କିଶୋର ସାମଲ, ସଂସ୍କୃତି ସଂଗ୍ରାହକ ତଥା ସାହିତ୍ୟିକ ସତ୍ୟଜିତ କୁମାର୍ ପଣ୍ଡା,ଗବେଷକ ବିଶ୍ୱେଶ୍ୱର ପୃଷ୍ଟି, ସତ୍ୟ ନାରାୟଣ ପାଣି, ସଞ୍ଜୟ କୁମାର ପଣ୍ଡା, ଚନ୍ଦ୍ର ଶେଖର ପାଢୀ, ନୀଳ ଲୋହିତ ମହାପାତ୍ର, ଚନ୍ଦ୍ରଜିତ୍ ପ୍ରସାଦ ଦେଓ, ତାରିଣୀ ମହାପାତ୍ର, ଶଶାଙ୍କ ମିଶ୍ର, ରଘୁନାଥ ଷଡ଼ଙ୍ଗୀ, ଆର୍କିଟେକ ସୁମନ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ | ରାଜ ପରିବାର ସଦସ୍ୟ ସଂଜୀବ କୁମାର ଦେଓ କିଛି ପ୍ରାଚୀନ ଦସ୍ତାବିଜ ଓ ସାମଗ୍ରୀ ସଂଗ୍ରହାଳୟ ପାଇଁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ |

hiranchal ad1
Leave A Reply

Your email address will not be published.

one × four =