ମାଟ୍ରିକ୍‍ ପରୀକ୍ଷାରେ କିସ୍‌ ଛାତ୍ରଛାତ୍ରୀଙ୍କ ବାଜିମାତ୍‌ : ପାସ୍‌ ହାର ୯୮ ପ୍ରତିଶତ

0 401

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍‌ର ପାସ୍‌ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ୍‌ ହାର ୭୮.୭୬ପ୍ରତିଶତ ରହିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ କିସ୍‌ର ରେକର୍ଡ ସଂଖ୍ୟକ ୧୯୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି । କିସ୍‌ରେ ପଢ଼ୁଥିବା ଆଦିମ ଜନଜାତି ଛାତ୍ର ଯୋଗେଶ କାଡ୍ରାକା ସର୍ବାଧିକ ୯୦% ନମ୍ବର ରଖି ସ୍କୁଲ୍‌ ଟପ୍‌ପର ହୋଇଥିବା ବେଳେ ଗଣିତରେ ୯୯ ନମ୍ବର ସହ ୯୦ ପ୍ରତିଶତ ନମ୍ବର ରଖି ଦେବରାଜ ମାଝୀ ମଧ୍ୟ ସ୍କୁଲ୍‍ର ଯୁଗ୍ମ ଟପ୍‍ପର ହୋଇଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ପିଲା ମ୍ୟାଟ୍ରିକ୍‍ ପରୀକ୍ଷାରେ ପାସ୍‍ କରିବା କିସ୍‍ ସମଗ୍ର ଦେଶର ପ୍ରଥମ ଅନୁଷ୍ଠାନ ବୋଲି କୁହାଯାଉଛି । ୨୦୦୦ ମସିହାରୁ ୨୦୨୦ ଦୀର୍ଘ ୨୧ବର୍ଷ ଧରି ଲଗାତାର କିସ୍‍ର ପିଲାମାନେ ପାଖାପାଖି ଶତପ୍ରତିଶତ ସଫଳତା ହାସଲ୍‍ କରିଆସୁଛନ୍ତି । ଚଳିତବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୪୦୦ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । କିସ୍‍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି । ଶ୍ରୀ ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

two + twelve =