ଅଧାପନ୍ତରିଆ ରାସ୍ତା କାମ ଯୋଗୁଁ ବଢୁଛି ଦୁର୍ଘଟଣା !

0 999

ବୌଦ୍ଧ,୧୨/୫ – ଠିକା ସଂସ୍ଥାର ମନମୁଖୀ ଓ ଅଧାପନ୍ତରିଆ ରାସ୍ତା କାମ ଯୋଗୁଁ ଜନସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେବାସହ ନିୟମିତ ଯାନବାହନ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି | ବୁଟୁପାଲିରୁ ବଘିଆପଡା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାମ ଦୁଇ ବର୍ଷରୁ ଅଧିକ ସମୟ ହେଲା ଆରମ୍ଭ ହୋଇଥିଲେ ମଧ୍ୟ କେବେ ସରିବ ଜଣା ପଡୁନାହିଁ l ଜାତୀୟ ରାଜପଥ ନମ୍ବର୍ 57ର ବୁଟୁପାଲି ଛକ ଠାରୁ ପଲାସ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଅଧା ପନ୍ତରିଆ ହୋଇ ଦୀର୍ଘ ଦିନରୁ ପଡି ରହିଥିବା ଦେଖିବାକୁ ମିଳିଛି l ବୁଟୁପାଲି – ପଲାସର ମଧ୍ୟବର୍ତ୍ତି କିଛି ସ୍ଥାନରେ ରାସ୍ତାର ଅଧା ପାର୍ଶ୍ବ କଂକ୍ରୀଟ ଢଳେଇ ହୋଇଥିବା ବେଳେ ଅନ୍ୟ ପାର୍ଶ୍ବ ସେମିତି ପଡି ରହିଛି | ଏ ଅଧା ପନ୍ତରିଆ କାମ ବ୍ୟତୀତ ଜାତୀୟ ରାଜପଥ ଠାରୁ ପଲାସ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ମଧ୍ୟ ଏ ଯାବତ୍ ଆରମ୍ଭ ହୋଇ ନାହିଁ | ସହରାଞ୍ଚଳ ଅନ୍ତର୍ଗତ ରାସ୍ତା ହୋଇ ଥିବା କାରଣରୁ ଉକ୍ତ ରାସ୍ତାରେ ସବୁବେଳେ ଜନସାଧାରଣଙ୍କ ଯାତାୟତ ଓ ଯାନବାହନର ଗହଳି ରହିଥାଏ l କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଏଭଳି ଦାୟିତ୍ୱହୀନ ଅଧା ପନ୍ତରିଆ ରାସ୍ତା ନିର୍ମାଣ ଯୋଗୁଁ ପ୍ରତିଦିନ ଅନେକ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି l ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ପରସ୍ପର ଉପରକୁ ଦୋଷ ଦେଇ ସମସ୍ତେ ଖସି ଯିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି | ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ତାଗିଦ କରି ଶୀଘ୍ର ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

20 − 1 =