ନୂଆଦିଲ୍ଲୀ: ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ଲକ୍ଷ କୋଟି ଟଙ୍କାର ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ତା’ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ଆଜି ଆୟୋଜିତ ଏକ ବିଶେଷ ସାମ୍ବାଦିକ ସମ୍ମୁଳନୀରେ ସୀତାରମଣ ପ୍ୟାକେଜର ସବୁ ଦିଗ ସଂପର୍କରେ ବିସ୍ତୃତ ବ୍ୟାଖ୍ୟା କରି ଟିକିନିକି ତଥ୍ୟ ରଖିଛନ୍ତି । କ୍ଷୁଦ୍ରଶିଳ୍ପ ଜଗତକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି କ୍ଷୁଦ୍ରଶିଳ୍ପ ଅର୍ଥାତ୍ ଏମ୍ଏସ୍ଏମ୍ଇ ପାଇଁ ୩ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ଦେଶର ଲକଡାଉନ ଜନିତ ଦୁର୍ବଳ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଯେଉଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଘୋଷଣା କରିଛନ୍ତି ସେଥିରେ ସ୍ୱଦେଶୀ ଉତ୍ପାଦନ ଓ ତା’ର ବିକ୍ରିକୁ ଅଗ୍ରାଧିକାର ଦିଆଯାଇଛି । ଅର୍ଥାତ୍ ଅଧିକାଂଶ ସାମଗ୍ରୀ ଭାରତୀୟ ଲକେ ହିଁ ତିଆରି କରିବେ ଏବଂ ଭାରତରେ ତାହାର ବିକ୍ରି ହେବା ସହିତ ରପ୍ତାନୀ ମଧ୍ୟ ହେବ । କ୍ଷୁଦ୍ର ଶିଳ୍ପଜଗତକୁ ଆହୁରି ସମୃଦ୍ଧ କରିବା ପାଇଁ ସରକାର ୩ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେବା କଥା କରିଥିବା କଥା ସୀତାରମଣ ଘୋଷଣା କରିଛନ୍ତି । ସେମାନଙ୍କୁ ବିନା ବନ୍ଧକରେ ଏହି ଋଣ ପ୍ରଦାନ କରାଯିବ । ଏହି ଋଣର ଅବଧି ୪ ବର୍ଷ ରହିବ ଏବଂ ଶତପ୍ରତିଶତ ଗ୍ୟାରେଣ୍ଟି ଯୁକ୍ତ ହେବ । ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ଏହାଦ୍ୱାରା ଦେଶର ୪୫ଲକ୍ଷ ୟୁନିଟ୍ ଉପକୃତ ହେବେ । ସେହିପରି ସରକାର ଭୂମି, ଶ୍ରମ ଓ ନଗଦ ଅର୍ଥ ଏବଂ ଆଇନ କ୍ଷେ୍ତ୍ରରେ ସଂସ୍କାର ଆଣିବା ଲାଗି ପ୍ୟାକେଜରେ ଗୁରୁତ୍ୱ ଦେଇଛନ୍ତି । ଦେଶୀ ବ୍ରାଣ୍ଡଗୁଡିକୁ ବିଶ୍ୱରେ ପରିଚିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଦେଶରେ କେହି ଭୋକିଲା ନରୁହନ୍ତୁ ଏହା ସରକାରଙ୍କ ଲକ୍ଷ୍ୟ । ଇପିଏଫ୍ କ୍ଷେତ୍ର ପାଇଁ ମଧ୍ୟ ଆକର୍ଷଣୀୟ ରିହାତି ବ୍ୟବସ୍ଥା ରହିଛି । ଆଗାମୀ ୩ ମାସ ଯାଏଁ ଘରୋଇ କଂପାନୀ କର୍ମଚାରୀଙ୍କ ଇପିଏଫ୍ ସରକାର ବହନ କରିବେ । ଜୁନ୍, ଜୁଲାଇ ଓ ଅଗଷ୍ଟ ମାସର ଇପିଏଫ୍ ରାଶି ସରକାର ଜମା କରିବେ । ଅର୍ଥାତ୍ ଏଥିପାଇଁ ସଂପୃକ୍ତ କଂପାନୀ କିମ୍ବା କର୍ମଚାରୀମାନଙ୍କୁ ଟଙ୍କାଟିଏବି ଦେବାକୁ ପଡିବନି । ୧୫ହଜାରରୁ କମ୍ ବେତନ ପାଉଥିବା କର୍ମଚାରୀମାନଙ୍କୁ ଏହି ସୁବିଧା ମିଳିବ । ମୋଟ ୭୦ଲକ୍ଷ ୮୨ହଜାର କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।