କୁସୁକୁ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପଚାରି ବୁଝିଲେ ରାୟଗଡ ବିଡିଓ

0 115

ରାୟଗଡ: ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ଏବେ ବି ଦୁର୍ଗମ ଅଂଚଳର ଅନେକ ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇ ପାରି ନ ଥିବା ବେଳେ ସେମାନଙ୍କ ଠାରେ ମୈାଳିକ ସୁବିଧା ଯେପରି ପଂହଚିପାରିବ ସେ ନେଇ ଜିଲ୍ଳା ତଥା ବ୍ଳକ ପ୍ରଶାସନ ସବୁବେଳେ ତତ୍ପରତା ଦେଖାଇଆସିଛି । ରାୟଗଡ ଜିଲ୍ଳା ସଦର ମହକୁମା ଠାରୁ ତେର କିଲୋମିଟର ଦୂରରେ ସଦର ବ୍ଳକ ପୀତାମହଲ ଗ୍ରାମ ପଂଚାୟତର ବେଡୁ ରାଜସ୍ୱ ଗ୍ରାମ ଅଧିନସ୍ଥ କୁସୁକୁ ଗ୍ରାମ ଅବସ୍ଥାପିତ । ଏଠାରେ ୨୨ଘର ପରିବାରର ୮୮ଜଣଙ୍କ ଜନବସତି ରହିଛି । ତେବେ ଗ୍ରାମବାସୀମାନେ ମୈାଳିକ ସୁବିଧାରୁ ବଂଚିତ ବୋଲି ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ମଧ୍ୟ ହୋଇଛି । ତେବେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗତ ଜୁନ୍‌୨୯ ତାରିଖରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି କୁୁୁସୁକୁ ଗ୍ରାମକୁ ଯାଇ ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ମୈାଳିକ ସୁବିଧା ଓ ସମସ୍ୟା ପଚାରି ବୁଝିବା ସହ ଆଗାମୀ ଦିନରେ ଯଥାଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ଫେରିଥିବା ଜଣାପଡିଛି । ଜିଲ୍ଳା ସଦର ମହକୁମା ଠାରୁ ତେର କିଲୋମିଟର ଦୂରରେ ଅବସ୍ଥିତ କୁସୁକୁ ଗ୍ରାମକୁ ପୂର୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ତିନି କିଲୋମିଟର ଯାଏଁ ଗାଁକୁ ସଂଯୋଗ କରିଥିବା ରାସ୍ତା କଚ୍ଚା ରାସ୍ତା ହୋଇଥିବାରୁ ସ୍ୱାସ୍ଥ୍ୟ ସେବାରେ ଗ୍ରାମବାସୀମାନେ ଅବହେଳିତ ହେଉଛନ୍ତି । ବିଶେଷ କରି ବର୍ଷା ଦିନ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଏ । ଚାରି ଚକିଆ ଗାଡି ଏହି କଚ୍ଚା ରାସ୍ତାରେ ଗଢିଲେ ମଧ୍ୟ ରାସ୍ତାର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଗାଡି ଧୀରେ ଧୀରେ ଗଡିଥାଏ । ଫଳରେ ଗାଁରେ ଆମ୍ବୁଲାନ୍ସ ଭଳି ଅନ୍ୟାନ୍ୟ ଗାଡି ପଂହଚିବା ଏକ ପ୍ରକାର ବିଳମ୍ବ ହୋଇଥାଏ । ତେଣୁ ଗ୍ରାମବାସୀମାନେ ପ୍ରଥମେ କଚ୍ଚା ରାସ୍ତାଟିକୁ ପକ୍କାରାସ୍ତାରେ ପରିଣତ କରିବା ପାଇଁ ନିଜ ଦାବି ଉପସ୍ଥାପନା କରିଥିଲେ । ରାସ୍ତା ସମ୍ବନ୍ଧରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଯୋଗାଯୋଗ କରିବେ ବୋଲି ବିଡିଓ ଶ୍ରୀ ସାବତ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ପରେ ଜାତୀୟ ବାର୍ଦ୍ଧକ୍ୟ ଭତା ପାଉଥିବା ୭ଜଣ ଏବଂ ମଧୁବାବୁ ପେନସେନ୍‌ ଭତା ପାଉଥିବା ୪ଜଣ ଓ ଅର୍କମଣ୍ୟ ଭତା ପାଉଥିବା ଜଣେ ମୋଟ ୧୨ଜଣ ହିତାଧିକାରୀଙ୍କୁ ଠିକ୍‌ ସମୟରେ ଭତା ପାଉଥିବା ନେଇ ପଚାରିବୁଝିଥିଲେ । ସେହିପରି ଗ୍ରାମର ୮ଜଣ ହିତାଧିକାରୀମାନେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଇନ୍ଦିରା ଆବାସ ଗୃହରେ ବସବାସ କରୁଥିବା ଦେଖିବାକୁ ପାଇଥିଲେ । ଘରର ଟିଣଛାତ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ କାନ୍ଥଗୁଡିକରୁ ଇଟା ପଥର ଦୃଶ୍ୟମାନ ହେଉଛି । ତେବେ ସେମାନେ ବିଗତ୨୦୦୪-୦୫ମସିହାରେ ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିବାରୁ ବର୍ତମାନ ସେମାନଙ୍କ ପାଇଁ ପୁନର୍ବାର ଘର ଯୋଗାଇବା ପାଇଁ ହେଲେ ସରକାର ନୂତନ ଯୋଜନାରେ ଅର୍ନ୍ତଭୁକ୍ତ କରି ପାରିଲେ ୮ଜଣ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀମାନେ ବିଡିଓଙ୍କୁ ଜଣାଇଥିଲେ । ସେହିପରି କୁସୁକୁ ଗ୍ରାମରେ ଗତ ୨ବର୍ଷ ପୂର୍ବରୁ ସୋଲାର ସିଷ୍ଟମ ମାଧ୍ୟମରେ ୧୮ଟି ଘରକୁ ବ୍ୟକ୍ତିଗତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପଂଚାୟତ ତରଫରୁ କରାଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଗ୍ରାମବାସୀ ପାଇ ପାରୁ ନ ଥିବା ବେଳେ ଖରାଦିନେ ଭୂତଳ ଜଳ ଉତ୍ସ କମି ଯାଉଥିବାରୁ ପାନୀୟ ଜଳ ସମସ୍ୟାରେ ଛନ୍ଦି ହେଉଥିବା ସମସ୍ୟା ବିଷୟରେ କହିବା ପରେ ଯଥାଶୀଘ୍ର ମୋଟର ୱାସ କରାଯାଇ ସମାଧାନ କରାଯିବ ବୋଲି ବିଡିଓ ଶ୍ରୀ ସାବତ କହିଥିଲେ । ଦୀର୍ଘ ଦିନ ଧରି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରଟିଏ ନ ଥିବାରୁ ପାଂଚ କିଲୋମିଟର ଦୂର ବେଡୁ ଗ୍ରାମରେ ଥିବା କେନ୍ଦ୍ର ଉପରେ ନିର୍ଭର କରନ୍ତି ଗ୍ରାମବାସୀ । ବିଡିଓ ଶ୍ରୀ ସାବତଙ୍କ ଗସ୍ତ ବେଳେ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ପାଢୀ ମଧ୍ୟ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

17 − 2 =