ସମ୍ବଲପୁର : ଏଠାରେ ଏକ ପ୍ରମୁଖ ଗଣମାଧ୍ୟମର ଜଣେ ସହସମ୍ପାଦକ ପଜିଟିଭ ଚିହ୍ନଟ ହେଲାପରେ ସମ୍ପୃକ୍ତ ଦୈନିକ ଖବରକାଗଜକୁ ଗତକାଲି ସିଲ୍ କରିଦିଆଯାଇଛି । ସମ୍ବଲପୁର ଜିଲ୍ଲାରେ ଗଣମାଧ୍ୟମର କର୍ମୀ ଭାବରେ ଏହା ହେଉଛି କରୋନା ପଜିଟିଭ ହେବାର ପ୍ରଥମ ମାମଲା । ଏହି ଖବର ସାର୍ବଜନୀକ ହେଲାପରେ ଏଠାକାର ଗଣମାଧ୍ୟମ ସଂପ୍ରଦାୟଙ୍କ ମଧ୍ୟରେ ଛନକା ପଶିଯାଇଛି । ଏପର୍ଯ୍ୟନ୍ତ ଗଣମାଧ୍ୟମର ପ୍ରତିନିଧିମାନେ ନିଶ୍ଚିନ୍ତ ଭାବେ ସବୁଆଡେ ଯିବାଆସିବା କରିବା ସହିତ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ, କିନ୍ତୁ ଆଜିଠାରୁ ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି ।ଏ ବିଷୟରେ ଆମ ହସ୍ତଗତ ଖବର ଅନୁସାରେ ସମ୍ପୃକ୍ତ ସହସମ୍ପାଦକ ଜଣକ ଗତ କିଛି ଦିନ ହେଲା ସାମାନ୍ୟ ଅସୁସ୍ଥ ରହୁଥିବାରୁ ସେ ନିଜ ଆଡୁ ସ୍ୱେଚ୍ଛାକୃତ ଭାବେ ସ୍ୱାବ ପରୀକ୍ଷା କରାଇଥିଲେ ଓ ସଂଯୋଗକୁ ଏହା ପଜିଟିଭ ବାହାରିଲା । ଏହା ଜାଣିଲାପରେ ପ୍ରଶାସନ ପକ୍ଷରୁ ଆପେକ୍ଷିକ କାର୍ଯ୍ୟାନୁଷ୍ଠାନ କରାଯାଇ ସମ୍ପୃକ୍ତ କାର୍ଯ୍ୟାଳୟକୁ ସିଲ୍ କରି ଦିଆଯାଇଛି ।