ସମ୍ବଲପୁର : ଲକଡାଉନ ପରେ ଜୀବିକାର ସମସ୍ତ ପନ୍ଥା ବନ୍ଦ ହୋଇ ଯିବାରୁ ବାହାର ରାଜ୍ୟ ରୁ ଏଠାକୁ ଆସିଥିବା ଶ୍ରମିକଙ୍କ ପାଇଁ ଘରକୁ ଫେରିବା ଜୀବନମରଣ ର ସମସ୍ୟା ହୋଇଯାଇଛି । ସେମାନେ ଅବଶ୍ୟ କେହି ଭୋକରେ ରହୁ ନ ଥିଲେ, କିନ୍ତୁ ଅନ୍ୟର ଦୟାରେ ରହିବା ସେମାନଙ୍କ ସ୍ବାଭିମାନ କୁ ଆଘାତ କରୁଛି ଓ ସେଥିପାଇଁ ସେମାନେ ଯେ କୌଣସି ପ୍ରକାରେ ଘରକୁ ଫେରିବାକୁ ଚାହୁଁଛନ୍ତି । ପୁଣି ଲକଡାଉନ କଟକଣା ଯୋଗୁଁ ଯିବାଆସିବା ର ସମସ୍ତ ସାଧନ ବନ୍ଦ ହୋଇଛି ଓ ମାଲପରିବହନ ପାଇଁ ଯା ଆସ କରୁଥିବା ଟ୍ରକ ହିଁ ସେମାନଙ୍କ ପାଇଁ ଏକମାତ୍ର ସାଧନ ରହିଯାଇଛି । ଏହି ପରିପ୍ରେକ୍ଷୀରେ ଏଠାରୁ ମୁମ୍ବାଇ ଅଭିମୁଖେ ଫେରୁଥିବା ଟ୍ରକ ଉପରେ ସେମାନେ ପ୍ରଚଣ୍ଡ ଖରାକୁ ବେଖାତିର କରି ଫେରୁଛନ୍ତି । ସେମାନଙ୍କ ଏଯାତ୍ରା କେବଳ ମୁମ୍ବାଇ ପାଇଁ ନିର୍ଦ୍ଦିଷ୍ଟ କି ବାଟରେ ଅନ୍ୟ କୌଣସି ସ୍ଥାନରେ ସେମାନେ ଓହ୍ଲାଉଛନ୍ତି, ତାହା ସ୍ପଷ୍ଟ ହେଉନାହିଁ । ଏପରି ଯାତ୍ରା କେବଳ ଅସୁରକ୍ଷିତ ହିଁ କାହିଁକି ବେଆଇନ ମଧ୍ୟ, ତଥାପି ଏହା ଦେଖି ସ୍ଥାନୀୟ ପୁଲିସ ଚୁପ ରହୁଥିବାର ରହସ୍ୟ ବୁଝି ହେଉନାହିଁ । ଏହା ମାତ୍ର ସେମାନଙ୍କ ପାଇଁ ସାମାନ୍ୟ ସମବେଦନା ନା ଆଇ କିଛି ସ୍ବାର୍ଥ ରହିଛି, ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି ।