ଷ୍ଟେଟ ବ୍ୟାଙ୍କର ଦୁଇଟି ଶାଖା ଓ ୨୮ଟି ଜିଲ୍ଲାରେ ସେଲ୍ସ ହବ୍‌ ଉଦଘାଟିତ: ମିଶନ ଶକ୍ତିର ମାମାନଙ୍କୁ ବିନା ସୁଧରେ ଋଣ ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

0 106

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର ଦୁଇଟି ନୂତନ ଶାଖା ସହିତ ୨୮ ଜିଲ୍ଲାରେ ୨୮ଟି ଡିଷ୍ଟ୍ରିକ୍ଟ ସେଲ୍ସ ହବ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା’ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସୁଧ ରିହାତି ଦେଉଛନ୍ତି । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କର ଅର୍ଥନୈତିକ ଅନ୍ତର୍ଭୁକ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେଣୁ ବ୍ୟାଙ୍କମାନେ ଗ୍ରାମାଂଚଳରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଜିରୋ ପରସେଂଟ ସୁଧରେ ଋଣ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତମାନ କରୋନା ମହାମାରୀ ପରିପ୍ରେକ୍ଷୀରେ ସାରା ବିଶ୍ୱ ଏକ ଆହ୍ୱାନମୂଳକ ପରିସ୍ଥିତି ଦେଇ ଗତିକରୁଛି । ଏହି ସମୟରେ ଦେଶ ଓ ରାଜ୍ୟର ଅର୍ଥନୈତିକ ପୁନରୁଦ୍ଧାର ସହିତ ଗ୍ରାମାଂଚଳର ଗରିବ ଲୋକ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି କରିବାରେ ବ୍ୟାଙ୍କମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାଜ୍ୟର ଅପହଂଚ ଅଂଚଳରେ ଅଧିକରୁ ଅଧିକ ସଂଖ୍ୟକ ଶାଖା ଖୋଲିବା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ ।
ତୃଣମୂଳ ସ୍ତରରେ ଲୋକଙ୍କର ଅର୍ଥନୈତିକ ଅନ୍ତର୍ଭୁକ୍ତି ପାଇଁ ଜିଲ୍ଲା ସ୍ତରରେ ଡିଷ୍ଟ୍ରିକ୍ଟ ସେଲ୍ସ ହବ୍‌ ସ୍ଥାପନ କରିବାରେ ଷ୍ଟେଟବ୍ୟାଙ୍କର ଅଭିନବ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଷ୍ଟେଟ୍‌ବ୍ୟାଙ୍କର ଏହି ଉଦ୍ୟମ ଯୋଗୁଁ ଗ୍ରାମାଂଚଳ ଓ ଅର୍ଦ୍ଧ ସହରାଂଚଳରେ ଅଧିକରୁ ଅଧିକ ଲୋକମାନେ ବ୍ୟାଙ୍କ ସୁବିଧା ପାଇପାରିବେ । ଷ୍ଟେଟବ୍ୟାଙ୍କ ତା’ର ଏହି ଉଦ୍ୟମ ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଏସ୍‌ବିଆଇର ଚିଫ୍‌ ଜେନେରାଲ୍‌ ମ୍ୟାନେଜର ରୁମା ଦେ କହିଥିଲେ ଯେ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବା ପାଇଁ ଷ୍ଟେଟ୍‌ ବ୍ୟାଙ୍କ ତା’ର ଉଦ୍ୟମ ଜାରି ରଖିଛି । ରାଜ୍ୟର ମିଶନଶକ୍ତି ଓ ଜୀବିକା ମିଶନ କାର୍ଯ୍ୟକ୍ରମରେ ମଧ୍ୟ ଷ୍ଟେଟବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ ଷ୍ଟେଟ୍‌ବ୍ୟାଙ୍କର ୪୪୩୫ଟି ଗ୍ରାହକ ସେବା କେନ୍ଦ୍ର ରହିଛି । ଆଜି ଆଉ ୫୧ଟି ନୂଆ ଗ୍ରାହକ ସେବା କେନ୍ଦ୍ର ଆରମ୍ଭ କରାଯାଇଥିଲା । ଏହି ଅବସରରେ କୋରାପୁଟର ମମତା ସ୍ୱୟଂ ସହାୟିକା ଗୋଷ୍ଠୀ ଓ କଳାହାଣ୍ଡିର ପ୍ରିୟଦର୍ଶିନୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଋଣ ଅନୁମୋଦନ ପତ୍ର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଏବଂ ଷ୍ଟେଟ୍‌ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଅର୍ଥ ବିଭାଗ ପ୍ରମୁଖ ସଚିବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଷ୍ଟେଟ୍‌ବ୍ୟାଙ୍କର ଜେନେରାଲ୍‌ ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + nine =