ସମ୍ବଲପୁର : କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସମଗ୍ର ଜିଲ୍ଲାରେ ଘୋଷିତ ୧୦ଦିନିଆ ସଟଡାଉନର ଆଜି ନବମ ଦିନ, ତଥାପି ଲୋକେ କଟକଣା ନିୟମର ବିରୁଦ୍ଧାଚରଣ କରୁଛନ୍ତି, ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ । ଏଣୁ ଘୋଷିତ କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ି ବାହାରି ପଡିଛି । ଏହି ପରିପ୍ରେକ୍ଷୀରେ ଗତକାଲି ସ୍ଥାନୀୟ ବୁଢ଼ାରଜା ଅଞ୍ଚଳରେ ନିୟମ ଭାଙ୍ଗିବା ଅଭିଯୋଗରେ ଦୁଇଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ସେମାନଙ୍କ ଦୋକାନକୁ ମଧ୍ୟ ସିଲ୍ କରି ଦିଆଯାଇଛି । ଏ ଭିତରୁ ଗୋଟିଏ ମାମଲାରେ ହରି ଓମ୍ ସୁପର ସ୍ନାକସ ଦୋକାନ ସିଲ୍ କରାଯାଇଛି ଓ ଏହାର ମାଲିକ ମନୀଷ ୱଧୱାନୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ଅନ୍ୟ ଘଟଣାରେ ଚକାଡୋଳା କିରାନା ଦୋକାନ ସିଲ୍ ହେବା ସହିତ ଏହାର ମାଲିକ କୃଷ୍ଣଚନ୍ଦ୍ର ଦାସଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଉଭୟ ଘଟଣା ଅଇଁଠାପାଲି ଥାନା ଅଞ୍ଚଳରେ ଘଟିଛି ଓ ଉଭୟ ଦୋକାନ ସାମ୍ନାରେ ସାମାଜିକ ଦୂରତା ନିୟମ ଭଙ୍ଗ ସହିତ ଅହେତୁକ ଭିଡ଼ ଜମା ହୋଇଥିଲେ ।