ଟେଷ୍ଟିଂ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

0 86

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ମୁକାବିଲା ନେଇ ରାଜ୍ୟର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଥ ଅଭାବରୁ କେହି ଜଣେ ବି କୋଭିଡ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବନାହିଁ । ରାଜ୍ୟ ସରକାର କୋଭିଡ ରୋଗୀଙ୍କ ପାଇଁ ଖାଇବ ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ, ଯେଉଁଠାରେ କି ଧନୀ କି ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ତେଣୁ ଅଧିକରୁ ଅଧିକ ଲୋକ ଯେଉଁଭଳି ଭାବରେ ଜୀବନ ବଞ୍ଚାଇପାରିବେ ସେ ଦିଗରେ ଆମେ ନିଷ୍ଠାର ସହ କାମ କରୁଛୁ । ଏହି ଅବସରରେ ରାଜ୍ୟର ଜନସାଧାରଣଙ୍କୁ କରୋନା ଟେଷ୍ଟିଂ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ଟେଷ୍ଟିଂ ପାଇଁ ଆଗେଇ ଆସି ନିଜକୁ ରୋଗମୁକ୍ତ କରିବା ପାଇଁ ପ୍ରୟାସ କରନ୍ତୁ । ସେ କହିଲେ ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୩୨ହଜାର ଟେଷ୍ଟିଂ କରାଯାଇପାରିଛି । ଏହା ତାଙ୍କୁ ଆନନ୍ଦ ଦେଇଛି । ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ବିଡିଓ, ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ସୃଷ୍ଟି କରି ଲୋକଙ୍କୁ ଆଗକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ସେ ଏହି ଅବସରରେ ରୋଗୀଙ୍କୁ ଘୃଣା ନକରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିବା ସହିତ ସ୍ୱଳ୍ପ ଓ ଲକ୍ଷଣ ବିହୀନ ରୋଗୀଙ୍କୁ ଘରେ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ରୋଗୀମାନଙ୍କୁ ମେଡିସିନ କିଟ୍‌, ଟେଲି ମେଡିସିନ ଯୋଗେ ଡାକ୍ତରୀ ସୁବିଧା ଯୋଗାଇବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଗତ ୫ ମାସ ଧରି ଆମେ ସାହସର ସହିତ କରୋନା ସହ ଲଢୁଛେ ଓ ଏଥିରୁ ଆମକୁ ଉତ୍ସାହଜନକ ସଫଳତା ମିଳିଛି । ଲୋକ ପ୍ରତିନିଧି ଓ କୋଭିଡ ଯୋଦ୍ଧାମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଯେଉଁଥିପାଇଁ ଆମେ ସଫଳ ହୋଇଛୁ । ଗତ ତିନି ସପ୍ତାହ ମଧ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି । ଏହି ଚିକିତ୍ସା ଜରିଆରେ ରୋଗୀ ସୁସ୍ଥ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କଟକ ଜିଲ୍ଲାର କୋଭିଡ ପର୍ଯ୍ୟବେକ୍ଷକମାନଙ୍କ ସହିତ ଜିଲ୍ଲା ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ଏହି ଅବସରରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ କେତେକ ପରାମର୍ଶ ମଧ୍ୟ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

five × four =