ବନବାସୀ ସୁରକ୍ଷା ପରିଷଦ ଓ ସିଏସ୍‌ଡି ପକ୍ଷରୁ କରୋନା ସଚେତନତା ଅଭିଯାନ

0 83

ବ୍ରାହ୍ମଣୀଗାଁ/ଦାରିଙ୍ଗବାଡି : କରୋନା ମହାମାରୀ ମୁକାବିଲା ପାଇଁ ସମସ୍ତେ ଏକ ହୁଅନ୍ତୁ, ସମସ୍ତେ ମାସ୍କ ପିନ୍ଧନ୍ତୁ , ହାତ ମିଳାଇବା ବଦଳରେ ପରସ୍ପରକୁ ନମସ୍କାର କରନ୍ତୁ, ଜନଗହଳି ଅଞ୍ଚଳକୁ ଯାଆନ୍ତୁ ନାହିଁ, ବିଶେଷ ଆବଶ୍ୟକ ଥିଲେ ମାସ୍କ ପିନ୍ଧି ଯାଆନ୍ତୁ ଓ ଅନ୍ତତ ପକ୍ଷେ ପରସ୍ପର ଠାରୁ ଛଅ ଫୁଟ ଦୂରତା ରଖନ୍ତୁ ଏବଂ ଯେତେଥର ବାହାରକୁ ଯାଉଛନ୍ତି, ସେତେଥର ହାତକୁ ସାବୁନରେ ଧୁଅନ୍ତୁ । ଏହିଭଳି ବାର୍ତ୍ତା ଦେଇ ବନବାସୀ ସୁରକ୍ଷା ପରିଷଦ ଓ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ(ସି.ଏସ୍‌.ଡି) ପକ୍ଷରୁ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଅଞ୍ଚଳରେ ସଚେତନତା ଅଭିଯାନ ଜାରି ରହିଛି । ଇତିମଧ୍ୟରେ ଡାହୁ, ରାଜପୁର ଆଦି ଗ୍ରାମରେ ଏପରି ସଚେତନ ସଭା ସହ ଅନ୍ୟାନ୍ୟ ଗ୍ରାମରେ ଧାରାବାହିକ ଭାବେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସଂଗଠନ ପକ୍ଷରୁ ଅଭିଯାନ ଚାଲୁରହିଛି ।

hiring


ଏହି ଅବସରରେ ପ୍ରତ୍ୟେକ ପରିବାରକୁ ସରକାରଙ୍କ ପକ୍ଷରୁ ମାସ୍କ, ସାବୁନ ବା ସାନିଟାଇଜର ଯୋଗାଇ ଦେବା, ଗାଁ ଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନ ଶିବିର ଆୟୋଜନ କରିବା, ଜ୍ୱର, ଥଣ୍ଡା, କାଶ, ଝାଡା ଆଦି ରୋଗରେ ପିଡୀତ ବ୍ୟକ୍ତିମାନଙ୍କୁ ଔଷଧ ବଣ୍ଟନ କରିବା, କାହାକୁ ଭୟଭୀତ କରାନଯାଇ ଟିକାକରଣ ନିମନ୍ତେ ସଚେତନ କରିବା ଏବଂ ସ୍ୱଇଚ୍ଛାରେ ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଟିକା ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାରେ ଅଧିକାଂଶ ଅଞ୍ଚଳରେ ମୋବାଇଲ ନେଟୱାର୍କ ନଥିବାରୁ ୟୁଟ୍ୟୁବ୍‌ କିମ୍ବା ଅନଲାଇନ ଶିକ୍ଷା ଶତକଡା ୮୦ ଭାଗରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ଶିକ୍ଷା ଦେବାରେ ସଫଳ ହୋଇପାରିବ ନାହିଁ ବୋଲି ମତବ୍ୟକ୍ତ କରି ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା କିମ୍ବା ଶାରୀରିକ ଦୂରତା ରଖି ଶିକ୍ଷା ଦାନ କରିବା କିମ୍ବା ଡାକବାଜି ଯନ୍ତ୍ର(ମାଇକ୍‌) ବ୍ୟବହାର କରି ଶିକ୍ଷା ଦାନ କରିବା ସପକ୍ଷରେ ସଂଗଠନ ମତ ଦେଇଛି । ସେହିପରି ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ପ୍ରତ୍ୟେକ ଗାଁରେ କର୍ମନିଯୁକ୍ତି ସୃଷ୍ଟି କରାଯିବା ଓ କାମ କରିବାକୁ ଇଚ୍ଛୁକ ପ୍ରତ୍ୟେକ ବ୍ୟକ୍ତିଙ୍କୁ କାମ ଯୋଗାଇ ଦେବାକୁ ସଂଗଠନ ଦାବି କରିଛି । କରୋନା ଆଳରେ ପୋଲିସ୍‌ ଦମନ ଓ ଜୋରିମାନା ନୀତି ବନ୍ଦ କରିବା ଓ ଲୋକମାନଙ୍କ ଜୀବନ-ଜୀବିକା ପ୍ରତି ଗୁରୁତ୍ୱ ଦେଇ ପୋଲିସ୍‌ ସମ୍ବେଦନଶୀଳ ବ୍ୟବହାର କରିବା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଲୋକମାନଙ୍କର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ମାନବୀୟ ଦୃଷ୍ଟି କୋଣରୁ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ସଂଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ଅଧିକାର ଓ ସଚେତନ ଅଭିଯାନରେ ସଂଗଠକ ବଳଭଦ୍ର ମଳିକ, ରବିଚନ୍ଦ୍ର ପ୍ରଧାନ, ଉତ୍ସବ ପ୍ରଧାନ, କୈଳାସ ସୁନ୍ଦ୍ରାମାଝୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

hiranchal ad1
Leave A Reply

Your email address will not be published.

3 + 10 =