ସମ୍ବଲପୁରରେ ନୂଆ ୧୧୧ଜଣ ପଜିଟିଭ ଚିହ୍ନଟ

0 89

ସମ୍ବଲପୁର :ଦୁଇ ସପ୍ତାହରୁ ଅଧିକ ହେଲା ସମ୍ବଲପୁର ଜିଲ୍ଲାରେ ଦୈନିକ ଚିହ୍ନଟ ହାର ଶତାଧିକ ରହି ଆସୁଛି, ଯାହାକି ପ୍ରଶାସନ ସହିତ ଜନସାଧାରଣ ଙ୍କ ଚିନ୍ତା ବଢାଉଛି । ଏହି କ୍ରମରେ ବିଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲା ରେ ୧୧୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୫୧୭୪ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୨୨ଜଣଙ୍କ ମୃତ୍ୟୁପରେ ୩୮୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ତଥା ବାକି ୧୨୯୫ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଇତି ମଧ୍ୟରେ ସ୍ଥାନୀୟ ବୁର୍ଲାସ୍ଥିତ ବଡ ହସ୍ପିଟାଲ ଭିମସାରରେ କରୋନା ଭୟଙ୍କର ରୂପ ଦେଖାଉଛି, ଯଦିଓ ଏହା ଉପରେ ଉଚ୍ଚତର ଚିକିତ୍ସା ପାଇଁ ଏହି ଅଂଚଳର ୧୦ଟି ଜିଲ୍ଲା ର ଜନସାଧାରଣ ଆଶ୍ରିତ । ଗତକାଲି ସେଠାରେ ଦୁଇ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି ଓ ଉଭୟେ ମହିଳା ବୋଲି ଜଣାପଡିଛି । ସେଠାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮ରେ ଯାଇ ପହଞ୍ଚିଛି । ଭିମସାର ବ୍ୟତିତ ଏଠାକାର ସମ୍ବଲପୁର କୋଭିଡ ହସ୍ପିଟାଲରେ ମଧ୍ୟ ଗତକାଲି ୩ଜଣଙ୍କ ମୃତ୍ୟୁ ହୋଇଛି । ଏହିପରି ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ୫ଜଣଙ୍କ ମୃତ୍ୟୁପରେ ମଧ୍ୟ ପ୍ରଶାସନ ଏ ବିଷୟରେ ରହସ୍ୟଜନକ ଭାବେ ନିରବ ରହିଛି, ଯାହାକି ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଉଛି । ଏତେ ବିପୁଳ ପରିମାଣରେ ପଜିଟିଭ ଚିହ୍ନଟ ଓ ଦୈନିକ ମୃତ୍ୟୁହାର ସତ୍ତ୍ୱେ ଲୋକଙ୍କ ମଧ୍ୟରେ ଅପେକ୍ଷିତ ସଚେତନତା ଦେଖାଯାଉ ନାହିଁ । କୋଭିଡ କଟକଣା କଡାକଡି ଭାବେ ପାଳନ କରିବା ପାଇଁ ପୁଲିସ ଅଣ୍ଟାଭିଡି ବାହାରି ପଡିଛି, ଯାହାକି ଦୈନିକ ଅସୁଲ ହେଉଥିବା ଜୋରିମାନା ରାଶିରୁ ଜଣାପଡୁଛି । ସମଗ୍ର ସମ୍ବଲପୁର ଜିଲ୍ଲାରେ ୬୧ଟି ସ୍ଥାନୀୟ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସହିତ ୧୪ଟି ସ୍ଥାନରେ ନିଷେଧାଦେଶ ଧାରା ୧୪୪ ଜାରି କରାଯାଇଛି । ଏଥିପାଇଁ ସବୁବେଳେ ପୁଲିସ ପଇନ୍ତରା ମଧ୍ୟ ମାରୁଛି, ତଥାପି ଅମାନିଆ ଲୋକଙ୍କ ଅଭାବ ନାହିଁ । ଏହିକ୍ରମରେ ବିଗତ ୨୪ଘଣ୍ଟା ମଧ୍ୟ ରେ ମାସ୍କ ପିନ୍ଧି ନଥିବାରୁ ୧୮୨ ଜଣ ଓ ହେଲମେଟ ପିନ୍ଧି ନଥିବାରୁ ୨୩୩ ଜଣଙ୍କୁ ମିଶାଇ ମୋଟ ୪୧୫ ଜଣଙ୍କ ଠାରୁ ୨ଲକ୍ଷ ୪୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × two =