ଶୀତଳଷଷ୍ଠୀ ଯାତ୍ରା : ଦେବବିବାହ ସମ୍ପନ୍ନ, ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦେବଦମ୍ପତି

0 78

ସମ୍ବଲପୁର: ଗତ ରାତିରେ କରୋନା କଟକଣା ମଧ୍ୟରେ ବହୁ ପ୍ରତିକ୍ଷିତ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତି ରୂପେ ଦେବଦେବ ମହାଦେବ ଓ ଆଦିମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ସେମାନେ ଆଜି ସ୍ୱମନ୍ଦିରକୁ ଫେରି ଆସିବେ । କଟକଣା ଯୋଗୁଁ ଏବର୍ଷ ଦେବଦମ୍ପତିଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ବାତିଲ କରାଯାଇଛି, ଯାହାକି ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ରୂପେ ପରିଚିତ । ତଥାପି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଇଚ୍ଛୁକ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ନବବିବାହିତ ଦେବଦମ୍ପତି ଆଜି ସ୍ୱମନ୍ଦିରରେ ଉପଲବ୍ଧ ରହିବେ । ପ୍ରତ୍ୟେକ ମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଓ ସାମାଜିକ ଦୂରତା ନିୟମ ଅନୁସାରେ ଭକ୍ତଗଣ ସେଠାରେ ଶ୍ରଦ୍ଧା ସହିତ ଦର୍ଶନ ଓ ଆଶିର୍ବାଦ ଲାଭ କରିପାରିବେ । ସ୍ଥାନୀୟ ନନ୍ଦପଡା ସ୍ଥିତ ବଂବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରୁ ଗତ ରାତି ପ୍ରାୟ ୧୧ଟା ସମୟରେ ଆରାଧ୍ୟ ମହାଦେବଙ୍କୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ନିକଟସ୍ଥ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପକୁ ଅଣାଗଲା । ମଧ୍ୟ ରାତ୍ର ପରେ ବ୍ରହ୍ମ ମୁହୁର୍ତ୍ତରେ ପ୍ରାୟ ୩ଟାରେ ଶ୍ରୀ ବାଲୁଙ୍କେଶ୍ୱର) ଓ ମା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ପାଇଁ ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପରେ ବିବାହ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ବଜାୟ ରଖି ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ପବିତ୍ର ଦେବ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହାପୂର୍ବରୁ ଗତକାଲି ମଙ୍ଗଳବାର ସକାଳ ୧୦ଟାରେ ଗଂଠାଳ ଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ମା ପାର୍ବତୀଙ୍କ କନ୍ୟାପିତା ମାତା ଦାୟିତ୍ୱ ନିର୍ବାହ କରିଥିବା ସୁକାନ୍ତ ବିଶି ଓ ଶ୍ରୀମତି ରିକିଂ ବିଶିଙ୍କ ଶୁଭଶ୍ରୀ ବିହାର, ଅଇଁଠାପାଲି ସ୍ଥିତ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଂଠାଳଫିଟା ପରେ ଚଳିତ ବର୍ଷ ମା ପାର୍ବତୀଙ୍କ କନ୍ୟା ପିତାମାତା ଦାୟିତ୍ୱ ତୁଲାଉଥିବା ଗୋପାଳ ସାହୁ ଓ ପ୍ରମିଳା ସାହୁ ପରିବାରବର୍ଗ ସହିତ ମା ପାର୍ବତୀଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା ପରେ ନିଜ ବାସଭବନକୁ ନେଇ ଯାଇଥିଲେ । ସେଠାରେ ମହିଳା ମାନେ ମାତା ପାର୍ବତୀଙ୍କ ସହିତ ହଳଦୀ ଖେଳି ତାଙ୍କର ସ୍ୱାଗତ କରିଥିଲେ । ସେପଟେ ମନ୍ଦିରରେ ବାବା ବାଲୁଙ୍କେଶ୍ୱରଙ୍କ ରୁଦ୍ରାଭିଷେକ କରାଯାଇଥିଲା । ରାମଚରଣ ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଏଥିରେ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, କାର୍ତ୍ତିକ ନନ୍ଦ, ଶୀତଳଷଷ୍ଠୀ ଦେବବିବାହ ପୂଜକ ଶଶାଙ୍କ ଶେଖର ମିଶ୍ର ଓ ତୁଲେସ ମହାପାତ୍ର ସହଯୋଗ କରିଥିଲେ । ଏହା ପରେ ବାବା ବାଲୁଙ୍କେଶ୍ୱରଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ବର ବେଶରେ ସଜ୍ଜିତ କରାଯାଇଥିଲା । ଏଥିରେ ଚକ୍ର ମିଶ୍ର, ଅଶ୍ୱିନୀ ହୋତା, ପ୍ରଫୁଲ୍ଲ ହୋତା, ଭୁବନ ମୋହନ ମିଶ୍ର, ଆଶୁତୋଷ ମିଶ୍ର, ଅରୁଣକାନ୍ତି ମିଶ୍ର, ସନତ ନନ୍ଦ, ଅବିନାଶ ମିଶ୍ର, ଅନୁଭବ ମିଶ୍ର, ବାଳ ଗୋପାଳ ନନ୍ଦ ଓ ପ୍ଲାବନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟା ୬ଟା ୩୦ରେ ବରପକ୍ଷ କନ୍ୟା ଘରକୁ ପିନ୍ଧାନୀ (ଦହି ଓ ମାଛ) କରିବା ପାଇଁ ଯାଇଥିଲେ । ଏହା ପରେ ରାତ୍ର ୮ଟା ରେ କନ୍ୟା ପକ୍ଷ ବରଘରକୁ ବରଯାତ୍ରୀ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ଏହା ପରେ ପରେ ବିବାହ ଅନୁଷ୍ଠାନ ପାଇଁ ମାତା ପାର୍ବତୀଙ୍କୁ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପକୁ ଅଣାଯାଇଥିଲା ।

hiranchal ad1
Leave A Reply

Your email address will not be published.

2 − one =