ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ା ବ୍ଲକର କିନୋଡ଼ା ଗ୍ରାମନିବାସୀ ଶ୍ରୀ ସାରଥି ଶବର ଜଣେ କ୍ଷୁଦ୍ରଚାଷୀ । ଶ୍ରୀ ସାରଥି ହେଉଛନ୍ତି ତାଙ୍କ ପରିବାରର ଏକମାତ୍ର ଉପାର୍ଜନକାରୀ ଯାହାଙ୍କ ଉପରେ ୫ ଜଣ ସଦସ୍ୟ ସମ୍ପୂର୍ଣ୍ଣରୂପେ ନିର୍ଭରଶୀଳ । ସେ ତାଙ୍କର ନିଜସ୍ୱ ୨ ଏକର ଚାଷ ଜମିରେ ପ୍ରତିବର୍ଷ ଖରିଫ୍ ଋତୁରେ ଧାନ ଓ ମାଣ୍ତିଆ ଫସଲ କରି ବାର୍ଷିକ ଆନୁନ୍ୟ ୩୦୦୦ ରୁ ୮୦୦୦ ଟଙ୍କା ରୋଜଗାର କରୁଥିଲେ ଯାହାକି ୫ ଜଣ ସଦସ୍ୟ ବିଶିଷ୍ଟ ପରିବାର ପ୍ରତିପୋଷଣ ପାଇଁ କାଠିକରପାଠ ହୋଇଯାଇଥିଲା । ଯେହେତୁ ଉକ୍ତ ସ୍ଥାନଟି ପାହାଡ଼ର ପାଦ ଦେଶରେ ଅବସ୍ଥିତ ଏବଂ ଜଲସଂଚୟ କରିବା ପାଇଁ କୌଣସି ମାଧ୍ୟମ ନଥିଲା ସେଥିପାଇଁ କେବଳ ବର୍ଷା ପାଣିକୁ ଉପଯୋଗ କରି ସେ ଖରିଫ ଋତୁରେ ଧାନ ଓ ମାଣ୍ତିଆ ଚାଷ କରୁଥିଲେ । ବର୍ଷର ବାକି ସମୟରେ ପାଣି ଅଭାବରୁ ଜମି ଗୁଡ଼ିକ ଖାଲି ପଡ଼ୁଥିଲା ଏବଂ କୌଣସି ଚାଷକାର୍ଯ୍ୟ ସମ୍ଭବପର ହୋଇ ପାରୁନଥିଲା । ଧାନ ଓ ମାଣ୍ତିଆ ଅମଳ ପରବର୍ତ୍ତୀ ସମୟରେ ନିଜ ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ ଅନ୍ୟ ସ୍ଥାନକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଥିଲା । ବେଳେବେଳେ ସ୍ଥିତି ଏଭଳି ପ୍ରତିକୂଳ ହେଉଥିଲା ଯେ, ସେ ପରିବାରର ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରିବାକୁ ଅସମର୍ଥ ହୋଇପଡ଼ୁଥିଲେ ।
ଏହି ସମୟରେ ବିପଦର ବନ୍ଧୁ ଭାବେ କାନ୍ଧକୁ କାନ୍ଧ ଯୋଡ଼ିବାକୁ ଆଗେଇ ଆସିଥିଲେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ, ଗଜପତି, ପାରଳାଖେମୁଣ୍ତି ଜଳବିଭାଜିକାର ସଚେତନତା କାର୍ଯ୍ୟକ୍ରମ ସମୟରେ ସେ ମନରେଗା ଯୋଜନା ଅନ୍ତର୍ଗତ କ୍ଷେତପୋଖରୀ କାର୍ଯ୍ୟକ୍ରମ ବିଷୟରେ ଜାଣିବାକୁ ଯାଇଥିଲେ । ତାଙ୍କର ଆବଶ୍ୟକ ପ୍ରମାଣପତ୍ର ସହ ସିଧା ଆସି ପହଞ୍ଚିଥିଲେ ବ୍ଲକ ଜଳବିଭାଜିକା ରେଞ୍ଜ ଅଫିସରେ । ତାଙ୍କ ଆବେଦନକୁ ଭିତ୍ତିକରି ୬୦୬୦୦ ଟଙ୍କା ବିନିମୟରେ ଏକ କ୍ଷେତପୋଖରୀ ଖନନ କରାଯାଇଅଛି । ତାଙ୍କର ନିଜସ୍ୱ ୦.୧ ଏକର ଜମିରେ ଯାହାର ଆୟତନ ଥିଲା ୧୦ ମିଟର ଲମ୍ୱ ୧୦ ମିଟର ଓସାର ଓ ୩ ମିଟର ଗଭୀର । ଉକ୍ତ କାର୍ଯ୍ୟର ଖନନ ପାଇଁ ଲାଗିପଡ଼ିଥିଲେ ଶ୍ରୀ ସାରଥିଙ୍କ ପରିବାରବର୍ଗ, ଉକ୍ତ ଗ୍ରାମରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜନକାର୍ଯ୍ୟଧାରୀ ମହିଳାମାନେ ଏବଂ ଗ୍ରାମର ଅନ୍ୟାନ୍ୟ ଶ୍ରମିକମାନେ । ଉକ୍ତ କାର୍ଯ୍ୟଟି ଧରିତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା । କ୍ଷେତପୋଖରୀ ଖନନ ପରେ ଶ୍ରୀ ସାରଥିଙ୍କୁ ସମନ୍ୱିତ କୃଷିପ୍ରଣାଳୀ ଅବଲମ୍ୱନ କରିବା ପାଇଁ ପରାମର୍ଶ ଦେଇଥିଲେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା କାର୍ଯ୍ୟାଳୟର ଅଧିକାରୀମାନେ । ତାପରେ ଆରମ୍ଭ ହୋଇଥିଲା ସାରଥିଙ୍କ ସଫଳତାର କାହାଣୀ ।
ପୋଖରୀ ହୁଡ଼ାରେ ଅମୃତଭଣ୍ତା, କଦଳୀ, ସଜନା, ସପୁରୀ, ନଡ଼ିଆ ଗଛ ଲଗାଇବା ସହିତ ନିକଟସ୍ଥ୦.୯ ଏକର ଜମିରେ ଟମାଟୋ, ବାଇଗଣ, କଖାରୁ, କାକୁଡ଼ି, ଭେଣ୍ତି, ଅଲଡ଼ି ଏବଂ ଶୀତ ଦିନରେ ବନ୍ଧାକୋବି, ଫୁଲକୋବି ଆଦି ନାନାଦି ପ୍ରକାର ପରିବା ଚାଷ କଲେ । ବାକି ୧ ଏକର ଜମିରେ ଧାନ ଓ ମାଣ୍ତିଆ ଚାଷ ପରିବର୍ତ୍ତେ ଅଣଧାନ ଚାଷ ଯଥା ମୁଗ, ବିରି ଆଦି ଡ଼ାଲିଜାତୀୟ ଫସଲ ଏବଂ ତୈଳବୀଜ ଫସଲ ଯଥା ରାଶି ଚାଷ କଲେ । ସହିପରି ଜଳବିଭାଜିକା ବିଭାଗ ତରଫରୁ ତାଙ୍କୁ ୭୫୦ ଗୋଟି ମାଛ ଜାଆଁଳ ଯୋଗାଇ ଦିଆଯାଇଥିଲା ।
କ୍ଷେତପୋଖରୀ ସହ ସମନ୍ୱିତ କୃଷିପ୍ରଣାଳୀ ଅବଲମ୍ୱନ କରି ଶ୍ରୀ ଶବର ଲାଭବାନ ହୋଇପାରିଛନ୍ତି । ଏହି ବର୍ଷ ମାଛବିକ୍ରି କରି ସେ ୩୦୦୦୦ ଟଙ୍କା, ପନିପରିବା ଏବଂ ଡ଼ାଲିଜାତୀୟ ଖାଦ୍ୟଶସ୍ୟ ବିକ୍ରିକରି ୩୫୦୦୦ ଟଙ୍କା ଏମିତି ମୋଟରେ ୬୫୦୦୦ ଟଙ୍କା ବାର୍ଷିକ ଲାଭ କରିପାରିଛନ୍ତି । ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହିତ ବଳକା ଉତ୍ପାଦିତ ପନିପରିବା, ଡ଼ାଲିଜାତୀୟ ଫସଲ ଓ ମାଛକୁ ନିକଟସ୍ଥ ଜିରାଙ୍ଗ ବଜାରରେ ବିକ୍ରି କରି ନିଜ ଆୟକୁ ବହୁଗୁଣିତ କରିପାରିଛନ୍ତି । ଏବେ ସେ ନିଜକୁ ନାମହୀନ ଚାଷିରୁ ଏକ ସଫଳ ଚାଷି ଭାବେ ପ୍ରମାଣିତ କରିପାରିଛନ୍ତି । ଗତବର୍ଷ ଜାତୀୟ ନୀତି ଆୟୋଗ ଟିମ୍ ଉକ୍ତ ପ୍ରକଳ୍ପକୁ ପରିଦର୍ଶନ କରି ପ୍ରଶଂସା କରିଥିଲେ ଏବଂ କରୋନା ମହାମାରୀ ସମୟରେ ସମଗ୍ର ଜିଲ୍ଲାରେ ଏଭଳି ପ୍ରକଳ୍ପମାନ ହାତକୁ ନେଇ ଲୋକଙ୍କର ଜୀବିକାକୁ ସୁଦୃଢ଼ କରିପାରୁଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରଶଂସିତ କରିବା ସହ ଧନ୍ୟବାଦ ଦେଇଛନ୍ତି । ଉକ୍ତ ପ୍ରକଳ୍ପଟି ଜାତୀୟ“ସ୍କଚ ଆୱାଡ଼” ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛି । ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା କହିଛନ୍ତି ଯେ, ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଭଳି ଏକାଧିକ ପ୍ରକଳ୍ପହାତକୁ ନିଆଯାଇଅଛି ଯାହା ଅଧିକରୁ ଅଧିକ ଲୋକଙ୍କୁ କରୋନା ମହାମାରୀ ସମୟରେ ବର୍ଷସାରା କର୍ମନିଯୁକ୍ତି ଯୋଗାଇ ଦେଇପାରୁଛି ଏବଂ କ୍ଷେତପୋଖରୀ ନିର୍ମାଣ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ ନିଜର ଆର୍ଥିକ ମେରୁଦଣ୍ତକୁ ସୁଦୃଢ଼ କରିପାରିଛନ୍ତି । ତତ୍ ସଙ୍ଗେସଙ୍ଗେ ହିତାଧିକାରୀମାନେ ସ୍ୱାବଲମ୍ୱୀ ହେବାସହ ନିଜର ଜୀବନ ଜୀବିକାକୁ ସୁଖ ସ୍ୱଚ୍ଛନ୍ଦର ସହିତ ଅତିବାହିତ କରିପାରୁଛନ୍ତି । ଜିଲ୍ଲାପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ଶ୍ରୀ ରବିନ୍ଦ୍ର କୁମାର ସାହୁଙ୍କ କହିବା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚୟ କର୍ମନିଯୁକ୍ତି ଯୋଜନାରେ ୧୬୯୯ ଗୋଟି କ୍ଷେତପୋଖରୀ ଅନୁମୋଦନ ହୋଇଥିଲା । ଏଥିମଧ୍ୟରୁ ୫୭୬ ଟି ପୋଖରୀ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ୬୬୬ ଟି ପ୍ରକଳ୍ପରନିର୍ମାଣ କାର୍ଯ୍ୟ ଚାଲିଛି । ବାକି କ୍ଷେତ ପୋଖରୀ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଏହି ବର୍ଷ ଶେଷ ସୁଦ୍ଧା ସଂମ୍ପୁର୍ଣ୍ଣ କରିବାପାଇଁ ଲକ୍ଷ୍ୟରଖାଯାଇଛି । ଏହି ଯୋଜନାର ସଫଳ ରୂପାୟନ ଦେଖି ଏହି ଜିଲ୍ଲାର ଅନ୍ୟଚାଷିମାନେ ଅନୁପ୍ରାଣିତ ହେବାସହ ବହୁତ ଭାବରେ କ୍ଷେତପୋଖରୀମାନ ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରି ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ।