ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଏଆଇଟିୟୁସି (ବୌଦ୍ଧ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ: ଆଜି ଏଆଇଟିୟୁସି ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ, ସଂପାଦକ ଅବକାଶ ସାହୁ, ମା ଭୈରବୀ ବସକର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସଂପାଦକ ଦିଲ୍ଲିପ କୁମାର ସାହୁ, ପ୍ରଫୁଲ୍ଲ ନାଏକ, ପ୍ରଦୀପ କୁମାର ସାହୁ, ଅରକ୍ଷିତ ଭୋକ୍ତା ପ୍ରମୁଖ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ କେତେକ ମହତ୍ୱପୂର୍ଣ୍ଣ ଓ ଯୁକ୍ତିଯୁକ୍ତ ଦାବି ରହିଛି । ଦାବିପତ୍ରରେ କୁହାଯାଇଛି ଯେ, ନିଜ ଘରକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନଙ୍କ ଘରବାହୁଡ଼ାକୁ ସରକାର ସୁନିଶ୍ଚିତ କରନ୍ତୁ, ଆଠଘଣ୍ଟା ବଦଳରେ ୧୨ ଘଣ୍ଟା ଶ୍ରମ ନିର୍ଘଣ୍ଟ ପ୍ରଚଳନ ଘୋଷଣାନାମାକୁ ଅବିଳମ୍ବେ ପ୍ରତ୍ୟାହାର କରାଯାଉ, ଆଧାର କାର୍ଡ଼, ଅନ୍ତ୍ୟୋଦୟ କାର୍ଡ଼, ବିପିଏଲ୍ ଓ ଏପିଏଲ୍ କାର୍ଡ଼ ଦେଖାଇବାକୁ ବାଧ୍ୟ ନକରି ସମସ୍ତ ଶ୍ରମିକଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଉ, ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକ, ଠିକା, ଅସ୍ଥାୟୀ ଦିନମଜୁରିଆଙ୍କ ପରିବାରକୁ ଉଜ୍ଜ୍ୱଳା ରନ୍ଧନଗ୍ୟାସ୍ ଯୋଜନାରେ ସାମିଲ୍ କରାଯାଉ, ସବୁ ଶ୍ରମିକଙ୍କୁ ମଜୁରୀ ମିଳିବା ସୁନିଶ୍ଚିତ କରାଯାଉ, ମଜୁରୀ କାର୍ଡ଼ ବନ୍ଦ ହେଉ, କାହାକୁ ଛଟେଇ କରାନଯାଉ ଏବଂ ସମସ୍ତ ଶ୍ରମିକଙ୍କ ନିଯୁକ୍ତି ସୁରକ୍ଷାକୁ ସୁନିଶ୍ଚିତ କରାଯାଉ ବୋଲି ଏଥିରେ ଦାବି କରାଯାଇଛି । ସେହିପରି, ଅସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ସଂଗଠିତ କ୍ଷେତ୍ରର ଠିକା ଓ ଅସ୍ଥାୟୀ ଶ୍ରମିକ, ଆତ୍ମନିଯୁକ୍ତ ଶ୍ରମିକ, ଦିନ ମଜୁରିଆ, ସମସ୍ତ ମୋଟର କର୍ମଚାରୀ ତଥା ଘରୋଇ କ୍ଷେତ୍ରରେ ନିଯୁକ୍ତ ଶ୍ର୍ରମିକମାନଙ୍କୁ ପୁନଃ କାର୍ଯ୍ୟରେ ଯୋଗଦାନ ପର୍ଯ୍ୟନ୍ତ ଅନ୍ତତଃ ସେମାନଙ୍କ ପରିବାରକୁ ମାସକୁ ୭,୫୦୦ ଟଙ୍କା କରି ତିନି ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ, ଆଶା ଓ ଅଙ୍ଗନୱାଡ଼ି କର୍ମୀ ସମେତ ତୃଣମୂଳ ସ୍ତରରେ କରୋନା ବିରୋଧରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯାଉ, ଲକ୍ଡାଉନ୍ ପରେ କାର୍ଯ୍ୟରେ ଯୋଗ ଦେବା ବେଳେ ମାଲିକମାନେ ଶ୍ରମିକମାନଙ୍କୁ ମାସ୍କ, ସାନିଟାଇଜର ଆଦି ଯୋଗାଇବା ବିଷୟକୁ ସୁନିଶ୍ଚିତ କରାଯାଉ, ପ୍ରବାସୀ ଶ୍ରମିକ ଆଇନ୍-୧୯୭୯କୁ ଅଧିକ ସମୃଦ୍ଧ କରି ସେମାନଙ୍କର ହିତକୁ ସୁରକ୍ଷା କରାଯାଉ ଏବଂ ବକେୟା ଥିବା ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ତୁରନ୍ତ ସେମାନଙ୍କର ବକେୟା ପ୍ରାପ୍ୟ ୧୫୦୦ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବିପତ୍ରରେ ଦର୍ଶାଯାଇଛି ।