ବୌଦ୍ଧ:ମିଳିଥିବା ଏକ ତଥ୍ୟ ଅନୁଯାୟୀ ଭାରତ ସରକାରଙ୍କ ଗ୍ୟାସ ଓ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଚେଷ୍ଟାରେ ବୌଦ୍ଧଜିଲ୍ଲା ପାଇଁ ହିନ୍ଦୁସ୍ଥାନ ପେଟ୍ରୋଲିୟମ କଂପାନୀ ଦୁଇଟ୍ରକ ରିଲିଫ ସାମଗ୍ରୀ ପଠାଇଛି । ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଟ୍ରକ ଲେଖାଏଁ କରୋନା ରିଲିଫ ସାମଗ୍ରୀ ଗରିବ ଜନସାଧାରଣଙ୍କୁ ବଣ୍ଟନ କରାଯିବାପାଇଁ ପହଞ୍ଚି ସାରିଥିବା ଜଣାପଡିଛି । ସିଏସଆର ଫଣ୍ଡରୁ ଲୋକଙ୍କୁ ବାଣ୍ଟିବାପାଇଁ ଚୁଡା, ଚାଉଳ, ଅଟା, ଚିନି, ମାସ୍କ, ସାନିଟାଇଜର ଓ ସାବୁନ ଆଦି ଅନେକ ସାମଗ୍ରୀ ଦେଇଛି । ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୧୫ଦିନ ହେବ ରିଲିଫ ସାମଗ୍ରୀ ଗୋଟିଏ ଲେଖାଏଁ ଟ୍ରକ ପହଞ୍ଚି ସାରିଥିଲେ ମଧ୍ୟ ସେ ଜିନିଷ କୁଆଡେ ଗଲା ଓ କାହା ପାଖରେ ଅଛି ଏବଂ କେବେ ବଣ୍ଟାହେବ ସେ ଉତ୍ତର କର୍ମୀମାନେ ପାଉନଥିବା ଅଭିଯୋଗ କରନ୍ତି । ଆସିଥିବା ରିଲିଫ ସାମଗ୍ରୀର ସ୍ଥିତି ସଂପର୍କରେ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ନିକଟରେ କୌଣସି ସୂଚନା ନଥିବା ପ୍ରକାଶ କରନ୍ତି ।
ଗତ ନିର୍ବାଚନରେ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରଦର୍ଶନ ଢେର ଭଲ ରହିଥିଲା । ଗତ ୨୦୧୭ମସିହା ପଞ୍ଚାୟତନିର୍ବାଚନରେ ୨ଟି ଜିଲ୍ଲା ପରିଷଦ ଜୋନ ଜିତିବା ଓ ଅନେକ ଜୋନରେ ଭଲ ପ୍ରଦର୍ଶନ କରିବାପରେ କର୍ମୀଙ୍କ ମନରେ ଜୋଶ୍ ଭରିଯାଇଥିଲା । ହେଲେ ବର୍ତ୍ତମାନ ସେସବୁ ଆଉ ଦେଖିବାକୁ ମିଳୁନାହିଁ । ଜିଲ୍ଲାରେ ଥିବା ବିଜେପିର ୧୦ଟି ଦଳୀୟ ମଣ୍ଡଳର ସାଙ୍ଗଠାନିକ ସ୍ଥିତି ପୁରା ଅସମ୍ଭାଳ । ମଣ୍ଡଳସ୍ତରୀୟ କର୍ମକର୍ତ୍ତା ସଂପୂର୍ଣ୍ଣଭାବେ ଚୟନ ଏଯାବତ କରାଯାଇପାରିନାହିଁ । ନୂତନ ଭାବରେ ଗତ ଡିସେମ୍ବର ମାସରେ ଜିଲ୍ଲା ସଭାପତି ଭାବେ ଅବସରପ୍ରାପ୍ତ ପ୍ରଶାସକ ବିପ୍ରଚରଣ ମହାନ୍ତି ମନୋନୀତ ହୋଇଥିଲେ । ଇତିମଧ୍ୟରେ ପ୍ରାୟ ୬ମାସ ବିତିଯାଇଥିଲେ ମଧ୍ୟ ମଣ୍ଡଳ କମିଟିର ପୁନର୍ବିନ୍ୟାସ ଓ ବିଭିନ୍ନ ଅଞ୍ଚଳ ଓ ବର୍ଗଙ୍କୁ ନେଇ ଜିଲ୍ଲା କମିଟି ଘୋଷଣା ହୋଇପାରିଲାନାହିଁ । ଆଗାମୀ ଦିନରେ ବୌଦ୍ଧଜିଲ୍ଲାରେ ବିଜେଡିକୁ ମାତ୍ ଦେବାକୁ ବିଜେପି ସକ୍ଷମ ବୋଲି ଲୋକଙ୍କ ମନରେ ଯେଉଁ ଆଶା ଥିଲା ତାହା ଧୀରେଧୀରେ ମଉଳି ଯାଉଛି । ବାହାରକୁ ଖୋଲାଖୋଲି ଜଣାପଡୁନଥିଲେ ମଧ୍ୟ ଦଳୀୟ କନ୍ଦଳ ଓ ଗୋଷ୍ଠୀ ବିବାଦ ଚରମ ସୀମାରେ ପହଞ୍ଚିଛି । ଏଭଳି ସ୍ଥିତିରେ ଦଳ ଆଗାମୀ ଦିନରେ କିଭଳି ସଂଗଠିତ ହେବ ତାହା ସମୟ କହିବ ।
Sign in
Sign in
Recover your password.
A password will be e-mailed to you.
Prev Post