ବୌଦ୍ଧ: ତୃତୀୟ ପର୍ଯ୍ୟାୟ ଲକ୍ଡାଉନକୁ ଆଉ ୮ଦିନ ଥିବାବେଳେ କେବେ କଟକଣା ସରିବ ସେଥିପାଇଁ ଦିନ ଗଣୁଛନ୍ତି ଠେଲାବାଲା ଓ ଚା ଦୋକାନୀ । ଅତି କମ୍ ପଇସା ବିନିଯୋଗ କରି ଠେଲାରେ ରାସ୍ତାପାଶ୍ୱର୍ରେ ଦୋକାନ ଖୋଲି ପରିବାର ପ୍ରତିପୋଷଣ କରିଥାନ୍ତି ଗରିବ ଲୋକମାନେ । ସେହିପରି ଚା, ପାନ ଦୋକାନଟିଏ କରି ପରିବାରକୁ ଚଳାଇ ନେଇଥାନ୍ତି କିଛି ଅଭାବୀ ଲୋକ । ତୃତୀୟ ପର୍ଯ୍ୟାୟ ଲକଡାଉନ କାଳରେ ବୌଦ୍ଧଜିଲ୍ଲା ପ୍ରଶାସନ ପ୍ରାୟ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ଠେଲାବାଲା ଓ ଚା’ବାଲାଙ୍କୁ ଅନୁମତି ଦେଇନାହିଁ । ଫଳରେ ସେମାନଙ୍କର ପିଠିରେ ଲକଡାଉନର ଶକ୍ତ ଛାଟ ଏବେବି ଅନବରତ ବାଜୁଛି ।
ବୌଦ୍ଧସହର ସମେତ ଗ୍ରାମାଞ୍ଚଳରେ ହଜାରେରୁ ଅଧିକ ପରିବାର ଚା ଦୋକାନ କିମ୍ବା ଠେଲାରେ ଜଳଖିଆ, ଚାଟ, ଗୁପଚୁପ, ଝାଲମୁଢି ଆଦି ବିକ୍ରିକରି ପେଟ ପୋଷିଥାନ୍ତି । ଲକ୍ଡାଉନ ଆରମ୍ଭ ହେବାର ଏବେ ୫୦ଦିନ ଅତିବାହିତ ହେଲାଣି । ବିନା ଆୟରେ ସେମାନଙ୍କର ପରିବାର ପାଇଁ ଖାଇବାକୁ ମୁଠେ ଯୋଗାଡ କରିବା କଷ୍ଟକର ହେଉଅଛି । ପ୍ରଶାସନ ଦୋକାନ ଖୋଲିବାକୁ କଟକଣା କରିଥିଲେ ମଧ୍ୟ ସେମାନେ ଆଉ ମାନିବେ ନାହିଁ କାରଣ ସେମାନଙ୍କ ପାଇଁ ଅନ୍ନଚିନ୍ତା ଚମତ୍କାର ହେଉଥିବା ଚା’ ଦୋକାନୀମାନେ ପ୍ରକାଶ କରନ୍ତି । ବଜାରରେ ଖୋଲିଥିବା ବଡବଡ ଦୋକାନ ଗୁଡିକରେ ଯଦି ସାମାଜିକ ଦୂରତା ପରିଚାଳନା ସମ୍ଭବ ହୋଇପାରୁଛି ତେବେ ଚା’ ପାନଦୋକାନରେ କାହିଁକି ହୋଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ବଡବଡ ଦୋକାନକୁ ଖୋଲିବାକୁ ପ୍ରଶାସନ ଅନୁମତି ଦେଇ ଚା ଓ ଠେଲାବାଲାଙ୍କ ପେଟକୁ ମାରିବା ଉଚିତ ନୁହେଁ ବୋଲି ଜନୈକ ଠେଲାରେ ବେପାର କରୁଥିବା ବେପାରୀ କହିଛନ୍ତି ।
ସେହିଭଳି ଦେଖିବାକୁ ଗଲେ ବୌଦ୍ଧସହର ସମେତ ଗ୍ରାମାଞ୍ଚଳରେ ଅନେକ ଚା, ପାନ ଦୋକାନ ଲୁଚାଛପାରେ ଖୋଲିସାରିଲାଣି । ଭୋକରେ ମରିବା ଅପେକ୍ଷା ପୋଲିସ ଲାଠିରେ ମରିବାକୁ ସେମାନେ ଶ୍ରେୟସ୍କର ମନେ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏ ଗରିବ ଠେଲାବାଲା ଓ ଚା ବାଲାଙ୍କ ସଂପର୍କରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ସେମାନେ ଦାବି କରିଛନ୍ତି ।