ହରଭଙ୍ଗା: ଅଧିକ ଶୀତ ଓ ଖାଦ୍ୟଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଭାରତକୁ ଆସି ବିଦେଶୀ ପକ୍ଷୀମାନେ ମହାନଦୀ ବନ୍ୟାରାଣୀ ଅଧଇନରେ ଥିବା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା ଅଭୟାରଣ୍ୟକୁ ଚାଲିଆସନ୍ତି । ଶୀତଋତୁର ଆରମ୍ଭରେ ଏହି ପକ୍ଷୀମାନେ ଆସିବା ସହିତ ଗ୍ରୀଷ୍ମଋତୁର ଆରମ୍ଭରେ ଫେରି ଯାଇଥାନ୍ତି । ପହିଲି ଶୀତର ଆଗମନରେ ସାତକୋଶିଆ ଗଣ୍ଡର ଜଳରାଶିରେ ଏହି ରଙ୍ଗବେରଙ୍ଗର ଦେଶୀବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଛି । ପକ୍ଷୀମାନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜମିଲାଣି ପର୍ଯ୍ୟଟକଙ୍କ ଭିଡ । ମହାନଦୀର ଘନ ନୀଳ ଜଳରାଶି । ମହାନଦୀର ଉଭୟ ପାଶ୍ୱର୍ରେ ନଭଶ୍ଚୁମ୍ବୀ ପର୍ବତ । ସକାଳର ପହଲି ସୂର୍ଯ୍ୟ କିରଣ ପର୍ଯ୍ୟଟକଙ୍କୁ ଆକର୍ଷଣ କରେ । ଏହି ବିଦେଶୀ ପକ୍ଷୀମାନେ ସାତକୋଶିଆ ଗଣ୍ଡ, ପଦ୍ମାତେଳା, ସୁନାଖଣିଆ, ବଡମୂଳ, ମାରଡା, କୁତିରୀ ଆଦି ମହାନଦୀ କୂଳରେ ଶହଶହ ସଂଖ୍ୟାରେ ବିଦେଶୀ ପକ୍ଷୀମାନେ ଚଳପ୍ରଚଳ କରନ୍ତି । ବିଦେଶୀ ପକ୍ଷୀଙ୍କ ଭିତରେ ଖରହଂସ, ଚନ୍ଦନାହଂସ, ଚକୋଆଟକୋଇ, ଚଟୁଆଗେଣ୍ଡି ଆଦି ୩୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପକ୍ଷୀମାନେ ଆଗମନ ହୁଅନ୍ତି । ଏହି ଅଂଚଳରେ ବିଦେଶୀ ପକ୍ଷୀଙ୍କ ଉପଯୋଗୀ ଖାଦ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ସୁର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ସେମାନଙ୍କ କଳରବରେ ମୁଖୁରିତ ହୁଏ ସାତକୋଶିଆ ଗଣ୍ଡ । ଅନ୍ୟ ପକ୍ଷରେ ପକ୍ଷୀ ଶିକାର ଉପରେ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟଥିବାରୁ ଶୀକାରୀମାନଙ୍କ ପ୍ରାଦୁର୍ଭାବ ନଥିବାରୁ ପକ୍ଷୀମାନେ ନିରାପଦ ମଣୁଛନ୍ତି ।ଏପରିକି ବିଦେଶି ପକ୍ଷୀମାନେ ଜଙ୍ଗଲ ଓ ନଦୀକୂଳରେ ଥିବା ବିଭିନ୍ନ ଗଛମାନଙ୍କରେ ରାତ୍ରିଯାପନ କରୁଥିବା ଲକ୍ଷ୍ୟ କରାଯାଇଛି । ମହାନଦୀ ବନ୍ୟାପ୍ରାଣ ବିଭାଗର ଛାମୁଣିଆ ରେଞ୍ଜ ଅଧିକାରୀ ଦୟାନିଝି ସେଠୀ, ଓ କୁଶଙ୍ଗ ରେଞ୍ଜ ଅଧିକାରୀ ପ୍ରଦିପ ଭୁତିଆ କହିଛନ୍ତି ଯେ, ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ସୁରକ୍ଷା ଦଳ ଗଠନ କରାଯାଇ ବିଭିନ୍ନ ଅଂଚଳରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।