ମାଲବାହୀ ଟ୍ରକ ଯୋଗେ ଶ୍ରମିକ ଚାଲାଣ ଅବ୍ୟାହତ

0 115

ସମ୍ବଲପୁର: ପୁଲିସ ପକ୍ଷରୁ କଟକଣା ଓ ତଦାରଖ ସତ୍ତ୍ୱେ ଟ୍ରକ ଯୋଗେ ଅନ୍ୟ ରାଜ୍ୟରୁ ଏଠାକୁ ଶ୍ରମିକ ଚାଲାଣ ବନ୍ଦ ହୋଇପାରୁନାହିଁ । ଏଥିପାଇଁ ମାଲବାହୀ ଟ୍ରକ ବ୍ୟବହାର କରାଯାଉଛି କାରଣ ଖାଦ୍ୟ ସଙ୍କଟ ଭୟରେ ଏମାନଙ୍କୁ କଟକଣାର ଉର୍ଦ୍ଧ୍ୱରେ ରଖାଯାଇଛି ଓ ଏପରି କୋହଳର ସୁଯୋଗନେଇ ଟ୍ରକ ଚାଳକମାନେ ବେଶ କିଛି ଅଧିକ ଉପାର୍ଜନ କରୁଛନ୍ତି । ଗତକାଲି ଏପରି ଏକ ଘଟଣା ସ୍ଥାନୀୟ ମହାନଦୀ ପୋଲ ପାଖରେ ଦେଖିବାକୁ ମିଳିଛି । ସମ୍ବଲପୁରରୁ ଛତିଶଗଡ ଅଭିମୁଖେ ଯାଉଥିବା ଦୁଇଟି ଟ୍ରକ ହଠାତ୍ ମହାନଦୀ ପୋଲ ପାଖରେ ଠିଆହେଲା ଓ ସେଥିରୁ ପ୍ରାୟ ୪୦ଜଣ ଶ୍ରମିକ ଓହ୍ଲାଇଥିଲେ । ସ୍ଥାନୀୟ ଲୋକେ ଏହାଦେଖି ଆତଙ୍କିତ ହୋଇପଡିଥିଲେ କିନ୍ତୁ ସେମାନେ ସେ ସ୍ଥାନରେ ପହଞ୍ଚିବା ପୂର୍ବରୁ ଓହ୍ଲାଇଥିବା ଶ୍ରମିକମାନେ ନଦୀପଠା ବାଟଦେଇ ପଳାଇ ଯାଇଥିଲେ । ସେମାନଙ୍କ ବ୍ୟତୀତ ଉକ୍ତ ଟ୍ରକରେ ଆଉ ମଧ୍ୟ କିଛି ଲୋକଥିଲେ ସେମାନେ ଆଗକୁ ଯାତ୍ରା ଅବ୍ୟାହତ ରଖିଥିଲେ । ଖବରପାଇ ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ଓ ବୁର୍ଲା ଥାନାଧିକାରୀ ବିଭୁତି ଭୂଷଣ ଭୋଇ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କଠାରୁ ମାମଲା ବିଷୟରେ ପଚାରି ବୁଝିଥିଲେ । ସ୍ଥାନୀୟ ଲୋକଙ୍କ ଆପତ୍ତି ଅନୁସାରେ ସେଠାକାର ଜାତୀୟ ରାଜପଥରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ଓ ଏହାଦ୍ୱାରା ସେମାନଙ୍କ ଜରିଆରେ ଏଠାରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହୁଛି । ପୁଣି ପୁଲିସ ସେଠାରେ ପହଞ୍ଚି ପୂର୍ବରୁ ଶ୍ରମିକମାନେ ସେଠାରୁ ପଳାଇବାରେ ସଫଳ ହେଉଛନ୍ତି । ଏହାର ପ୍ରତିକାର ପାଇଁ ସେହି ଜାତୀୟ ରାଜପଥରେ ନିୟମିତ ପୁଲିସ ପୋଟ୍ରୋଲିଂ ପାଇଁ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

19 − fourteen =