ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

0 97

ସୁବର୍ଣ୍ଣପୁର : ସଦର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପୂଜାଶ୍ରୀ ମିଶ୍ର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଆଗାମୀ ପନ୍ଦର ଦିନ ଯାଏଁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ବୁଲି ଲୋକଙ୍କୁ ପରିବାର ନିୟୋଜନ ଉପରେ ସଚେତନତା କରାଇବ । ଏଠାରେ ସୂଚନା ଯୋଗ୍ୟଯେ ଜୁଲାଇ ୧୧ ତାରିଖକୁ ବିଶ୍ୱ ବ୍ୟାପି ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ । ଆମ ଦେଶରେ ମଧ୍ୟ ଜନସଂଖ୍ୟା ବୃଦ୍ଧିରେ ସ୍ଥିରତା ଆଣିବା ପାଇଁ ଏହି ଦିବସ ପାଳନ କରାଯାଏ । ତେବେ ଜୁନ ୨୭ ତାରିଖରୁ ଜୁଲାଇ ୧୦ ତାରିଖ ଯାଏଁ ସଚେତନତା ପକ୍ଷ ପାଳନ କରାଯାଉଥିବା ବେଳେ ଜୁଲାଇ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ଯାଏଁ ସ୍ଥିରତା ପକ୍ଷ ପାଳନ କରାଯାଉଛି । ସଚେତନତା ପକ୍ଷରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶିକ୍ଷଣ, ସେକ୍ଟରସ୍ତରରେ ଆଶାମାନଙ୍କୁ ପ୍ରଶିକ୍ଷଣ, ବେନର୍‌, ହୋଡିଂ, ପୋଷ୍ଟର ପ୍ରଦର୍ଶନ, ଲିଫଲେଟ୍‌ ବଣ୍ଟନ, ସ୍ୱାସ୍ଥ୍ୟକାନ୍ଥରେ ବାର୍ତ୍ତା ଲିଖନ, ଘରକୁ ଘର ବୁଲି ବ୍ୟକ୍ତିଗତ ଯୋଗାଯୋଗ ଆଦି ବ୍ୟାପକ ସଚେତନାମୂଳକ ପଦକ୍ଷେପ ନିଆଯାଇଛି । ସ୍ଥିରତା ପକ୍ଷରେ ଉପଯୁକ୍ତ ହିତାଧିକାରୀଙ୍କୁ ପରିବାର ନିୟୋଜନ ସେବା ପ୍ରଦାନ କରିବାର ଯୋଜନା କରାଯାଇଛି । ବ୍ଲକସ୍ତରରେ ୬୦ ମହିଳା ଗର୍ଭନିରୋଧକ ଅସ୍ତ୍ରୋପଚାର, ୩ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାର, ୬୦ ଆୟୁସିଡି, ୮୦ ଅନ୍ତରା ସହ ଓପି, ସିସି ଏବଂ ଇସି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ସଚେତନତା ରଥ ଲୋକଙ୍କୁ ପରିବାର ନିୟୋଜନ ସମ୍ବନ୍ଧୀୟ ସୂଚନା ଦେବାରେ ବିଶେଷ ସହାୟକ ହେବ ବୋଲି ବିଚାର କରାଯାଉଛି । ସମସ୍ତ କାର୍ଯ୍ୟକ୍ରମଟିକୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଆୟୁଷ ଡାକ୍ତର ପ୍ରମୋଦ ମେହେର, ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତ୍ୱନୁ ମେହେର, ଏଲଏଚଭି ଏଡିଥ୍‌ ଖାଲକୋ, ଏଏନଏମ ରଂଜିତା ପଣ୍ଡା, କଲ୍ୟାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ସୀତୁ ସାହୁ, ତୟୁର ମହମ୍ମଦ, କୃଷ୍ଣଚନ୍ଦ୍ର ଚିନ୍ଦା, ମିତ୍ରଭାନୁ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =